
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି । ଥାନା ରାୟା ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ରୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଏବେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
ସୂଚନାନୁଯାୟୀ, ଆଜି ଭୋର ପ୍ରାୟ ୪ଟାରେ ରାୟା ଥାନା ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେର ମାଇଲଖୁଣ୍ଟ ୧୧୨ ଏବଂ ୧୧୩ ମଧ୍ୟରେ ଗୋଲା ବସ୍ ସର୍ଭିସର ଏକ ଭଲଭୋ ବସ୍ ପଛରୁ ଏକ ଟ୍ରଲରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ସମୟରେ ଦୁର୍ଘଟଣାଗ୍ରସ୍ତ ବସରେ ୬୫ ଜଣ ଯାତ୍ରୀ ଥିଲେ । ଏହି ଦୁର୍ଘଟଣା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ରୁ ୨୫ ଜଣ ଆହତ ହୋଇଥିଲେ । ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା ।
ଅନ୍ୟପଟେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଅଧୀକ୍ଷକ, କ୍ଷେତ୍ରାଧିକାରୀ ମହାବନ, ଥାନା ପ୍ରଭାରୀ ରାୟା ପୋଲିସ ବଳ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ବ୍ୟତୀତ SDRF ଏବଂ ଅଗ୍ନିଶମ ସେବା ଦଳ ମିଳିତ ଭାବରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ । ବସ୍ରେ ଫସି ରହିଥିବା ଯାତ୍ରୀମାନଙ୍କୁ ତୁରନ୍ତ ମଥୁରା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ଆହତମାନେ ଚିକିତ୍ସାଧୀନ ରହିଛନ୍ତି । ମୃତ ୪ ଜଣଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ମଧ୍ୟ ଚାଲିଛି । ଏଥିସହ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ପୋଲିସ ।
