
ଯାଜପୁର ଟାଉନ : ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ପ୍ରବେଶ କରିଛି ପ୍ରଥମ ବନ୍ୟାଜଳ । ଫଳରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବୈତରଣୀ ନଦୀ ଶାଖା କାଣୀ ନଦୀର କଣ୍ଟପଡା ଠାରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ଘାଇଟି ନଦୀବନ୍ଧର ଡାହାଣ ପାର୍ଶ୍ୱରେ ହୋଇଥିଲା ବେଳେ ଚାଷ ଜମି ପାଖରେ ଘାଇ ସୃଷ୍ଟି ହୋଇଛି । ଘାଇ ହେବା ଫଳରେ ବ୍ଲକର ମଲିକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ମଙ୍ଗଳପୁର, କନିକାପଡା ଆଦି ପଞ୍ଚାୟତ ଚାଷ ଜମିରେ ବନ୍ୟା ଜଳ ପ୍ରବାହିତ ହେଉଛି । କିଛି ତଳି ଅଂଚଳରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି । ଫଳରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି ।
ଦଶରଥପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ୯. ୫୦ ମିଟର ବିପଦ ସଂକେତ ଥିବା ବେଳେ ଏବେ ୯. ୯୦ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ବଲ୍ଲଭୀଘାଟରେ ବିପଦ ସଂକେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି l ବିପଦ ସଙ୍କେତ ୧୩.୪୫ମିଟର ଥିବା ବେଳେ ଏବେ ଏହା ୧୧.୭୦ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଆଖୁଆପଦାଠାରେ ଏବେ ବି ସତର୍କ ସୂଚନା ଉପରେ ରହିଛି ଜଳସ୍ତର । ୧୮.୩୩ ବିପଦ ସଙ୍କେତ ଥିବାବେଳେ ୧୭.୬୨ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।
