୧୨ ତାରିଖରୁ ଭୁବନେଶ୍ୱରରେ ଖୋଲିବ ଧର୍ମାନୁଷ୍ଠାନ

add-all

ଭୁବନେଶ୍ୱର: ଓଡ଼ିଶା ସମେତ ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ୍‌ର ୩ୟ ଲହର ହ୍ରାସ ପାଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ହୋଇଥିବାରୁ ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖ ଠାରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମେତ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

କରୋନା କଟକଣା ନେଇ ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ ବିଏମ୍‌ଏସ୍‌ ଆଦେଶନାମା ଜାରି କରିଛି।

ଆଦେଶନାମାରେ କୁହାଯାଇଛି ଯେ, ଯେଉଁମାନେ କରୋନା ଟିକାର ଉଭୟ ଡୋଜ୍‌ ନେଇ ସାରିଥିବେ, ସେମାନେ ଧର୍ମାନୁଷ୍ଠାନ ଭିତରକୁ ପ୍ରବେଶ କରିପାରିବେ। ଚଳିତ ମାସ ୧୨ ତାରିଖ ଠାରୁ ଶ୍ରୀଲିଙ୍ଗରାଜ ସମେତ ଭୁବନେଶ୍ୱରରେ ଥିବା ଅନ୍ୟ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାର ଓ ଅନ୍ୟ ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲିବ। ଧର୍ମାନୁଷ୍ଠାନ ଗୁଡ଼ିକରେ କୋଭିଡ-୧୯ ଗାଇଡଲାଇନ୍‌ ପାଳନ କରିବାକୁ ହେବ।

ଧର୍ମାନୁଷ୍ଠାନକୁ ଯିବାକୁ ଚାହୁଁଥିବା ଶ୍ରଦ୍ଧାଳୁମାନେ ଫଟୋ ପରିଚୟପତ୍ର (ଆଧାରକାର୍ଡ, ମତଦାନ ପରିଚୟ ପତ୍ର) ନେଇଯିବେ। ମନ୍ଦିରର ଗର୍ଭଗୃହ ଭିତରକୁ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। ସାମାଜିକ ଦୂରତା ରକ୍ଷା କରି ଦର୍ଶନ ବ୍ୟବସ୍ଥା କରାଯିବ। ତେବେ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଭୋଗ ନେଇ ଯାଇପାରିବେ ନାହିଁ।

ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସିଂହଦ୍ୱାର ଠାରୁ ଆଡ କାଠ ପର୍ଯ୍ୟନ୍ତ ଏକକାଳୀନ ସର୍ବାଧିକ ୧୦୦ ଜଣ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ। ସାହାଣମେଳା ଓ ଗର୍ଭଗୃହ ଦର୍ଶନକୁ ବାରଣ କରାଯାଇଛି।

ad-week
Leave A Reply

Your email address will not be published.