
ଉମରକୋଟ/ଝରିଗାଁ :- ନବରଙ୍ଗପୁର ଜ଼ିଲ୍ଲାର ଝରିଗାଁ ବ୍ଲକରେ ପ୍ରାଣୀଧନ ବିକାଶ, ପଶୁପାଳକ ଓ ଚାଷୀଙ୍କ କଲ୍ୟାଣ ସହିତ ସରକାରଙ୍କ ବିଭିନ୍ନ ପ୍ରାଣୀଧନ ଯୋଜନାର ସଫଳ କାର୍ଯ୍ୟକାରିତାକୁ ନେଇ ଆଜି ଝରିଗାଁ ପ୍ରାଣୀଧନ ଅଧିକାରୀ ଅଜୟ କୁମାର ମାଝୀଙ୍କ ସହ ଉମରକୋଟ ବିଧାୟକ ନରସିଂହ ଭତରାଙ୍କ ବିଭାଗୀୟ ପ୍ରତିନିଧି ପ୍ରତାପ ଦୁରିଆ ଏକ ଗୁରୁତ୍ୱପୂର୍ଣ୍ଣ ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା କରିଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରାଣୀଧନ ବିଭାଗର କାର୍ଯ୍ୟକଳାପର ତଦାରଖ କରିବା, ଗ୍ରାମାଞ୍ଚଳର ଚାଷୀ ଓ ପଶୁପାଳକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ସରକାରଙ୍କ ଦୃଷ୍ଟିକୁ ଆଣିବା ଏବଂ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଇ ଉପକୃତ କରିବା ଉଦ୍ଦେଶ୍ୟରେ ବିଧାୟକ ନରସିଂହ ଭତରା ପ୍ରତାପ ଦୁରିଆଙ୍କୁ ବିଭାଗୀୟ ପ୍ରତିନିଧି ଭାବେ ଲିଖିତ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି।
ଏହି ଦାୟିତ୍ୱ ଗ୍ରହଣ ପରେ ପ୍ରତାପ ଦୁରିଆ ଆଜି ଝରିଗାଁ ପ୍ରାଣୀଧନ ଅଧିକାରୀ ଅଜୟ କୁମାର ମାଝୀଙ୍କୁ ସାକ୍ଷାତ କରି ବିଧାୟକଙ୍କ ପକ୍ଷରୁ ପ୍ରଦତ୍ତ ଅଧିକୃତ ପତ୍ର ପ୍ରଦାନ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରାଣୀଧନ ବିଭାଗର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ, ପଶୁପାଳନର ପ୍ରୋତ୍ସାହନ, ଗୋପାଳନ, ଛେଳି, ମେଣ୍ଢା ଓ କୁକୁଡ଼ା ପାଳନ ଯୋଜନା, ପଶୁ ଟିକାକରଣ, ପଶୁ ସ୍ୱାସ୍ଥ୍ୟ ସେବା, କୃତ୍ରିମ ପ୍ରଜନନ, ଦୁଗ୍ଧ ଉତ୍ପାଦନ ବୃଦ୍ଧି, ପଶୁଚିକିତ୍ସା ସୁବିଧାର ସୁଦୃଢ଼ୀକରଣ ଏବଂ ସରକାରୀ ସହାୟତା ଯୋଜନାର ସ୍ୱଚ୍ଛ ଓ ସଫଳ କାର୍ଯ୍ୟକାରିତା ଉପରେ ଦୀର୍ଘ ସମୟ ଧରି ବିସ୍ତୃତ ଆଲୋଚନା ହୋଇଥିଲା।
ଆଲୋଚନା ସମୟରେ ପ୍ରତାପ ଦୁରିଆ କହିଥିଲେ ଯେ, ପ୍ରାଣୀଧନ କ୍ଷେତ୍ର ଗ୍ରାମୀଣ ଅର୍ଥନୀତିର ଏକ ପ୍ରମୁଖ ଆଧାର। ଏହି କ୍ଷେତ୍ରର ଉନ୍ନତି ହେଲେ ଚାଷୀଙ୍କ ଆୟ ବୃଦ୍ଧି ସହ ଆତ୍ମନିର୍ଭରଶୀଳତା ମଧ୍ୟ ବଢ଼ିବ। ସେଥିପାଇଁ ଯୋଗ୍ୟ ହିତାଧିକାରୀମାନେ ଯେପରି କୌଣସି ସରକାରୀ ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ।
ପ୍ରାଣୀଧନ ଅଧିକାରୀ ଅଜୟ କୁମାର ମାଝୀ ମଧ୍ୟ ବିଭାଗ ପକ୍ଷରୁ ଚାଷୀ ଓ ପଶୁପାଳକଙ୍କୁ ସମସ୍ତ ସରକାରୀ ସେବା ଓ ଯୋଜନାର ସୁବିଧା ପହଞ୍ଚାଇବା ପାଇଁ ସହଯୋଗ ଓ ସମନ୍ୱୟର ସହ କାର୍ଯ୍ୟ କରାଯିବ ବୋଲି ମତ ପ୍ରକାଶ କରିଥିଲେ। ଉଭୟ ପକ୍ଷ ଚାଷୀଙ୍କ ମଙ୍ଗଳ ଓ ପ୍ରାଣୀଧନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ପରସ୍ପର ସହଯୋଗରେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଥିଲେ।
ଗ୍ରାମାଞ୍ଚଳର ପଶୁପାଳକ ଓ କ୍ଷୁଦ୍ର ଚାଷୀଙ୍କୁ ସରକାରୀ ଯୋଜନା ସହ ଅଧିକ ସଂଯୋଗ କରିବା ଏବଂ ପ୍ରାଣୀଧନ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଦିଗରେ ଏହି ଆଲୋଚନା ଏକ ସକାରାତ୍ମକ ପଦକ୍ଷେପ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।
