ଡାକ୍ତରଖାନାରେ ଆଖି ବୁଜିଲେ ଆତ୍ମାହୁତି ଉଦ୍ୟମ କରିଥିବା ରାଜଲକ୍ଷ୍ମୀ

add-all

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଅନ୍ତର୍ଗତ ବାସୁଦେବ ନଗରରେ ଆତ୍ମାହୁତି ଉଦ୍ୟମ କରି ଗୁରୁତର ଭାବେ ପୋଡ଼ିଯାଇଥିବା ରାଜଲକ୍ଷ୍ମୀ ମିଶ୍ରଙ୍କର ଶନିବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି। ନିଜ ବାପାଙ୍କ ବିରୋଧରେ ଯୌନ ନିର୍ଯାତନା, ବ୍ଲାକମେଲ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ପୋଲିସ ରାଜଲକ୍ଷ୍ମୀଙ୍କ ବାପା ସୁଭାଷ ଚନ୍ଦ୍ର ମିଶ୍ର (୫୭)ଙ୍କୁ ଯୌନ ନିର୍ଯାତନା, ବ୍ଲାକମେଲ ଏବଂ ଆତ୍ମହତ୍ୟା ପାଇଁ ପ୍ରରୋଚନା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ତଦନ୍ତ ବେଳେ ଅଭିଯୁକ୍ତଙ୍କ ଦୁଇଟି ଏବଂ ରାଜଲକ୍ଷ୍ମୀଙ୍କ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ଝିଅଙ୍କ ଶ୍ୱଶୁରଙ୍କଠାରୁ ୧୦ ଲକ୍ଷ ଟଙ୍କା ଧାର ନେଇଥିଲେ। ଟଙ୍କା ଫେରସ୍ତ ଦାବି କରିବା ପରେ ରାଜଲକ୍ଷ୍ମୀଙ୍କୁ ଆପତ୍ତିଜନକ ଫଟୋ ଦେଖାଇ ବ୍ଲାକମେଲ କରାଯାଉଥିଲା ବୋଲି ପୋଲିସ କହିଛି। ଏହି ମାନସିକ ଚାପ ହିଁ ତାଙ୍କ ଆତ୍ମାହୁତି ଉଦ୍ୟମର କାରଣ ବୋଲି ନିମଖଣ୍ଡି ଥାନା ଆଇଆଇସି ଶ୍ରୀକୃଷ୍ଣ ସାହା ସୂଚନା ଦେଇଛନ୍ତି।

ଗତ ୯ ତାରିଖରେ ରାଜଲକ୍ଷ୍ମୀ ଶ୍ୱଶୁର ଘରର ଛାତ ଉପରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ପ୍ରଥମେ ଏମ୍‌କେସିଜି ମେଡିକାଲ ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.