
ଭୁବନେଶ୍ବର: ଓଡ଼ିଶାରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ୍ ବିକାଶ ପାଇଁ ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ୪୦ କୋଟି ୫୦ ଲକ୍ଷ ୭୫ ହଜାର ୭୪୦ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି । ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି “ ‘ପୂର୍ବୋଦୟ’ର ପ୍ରବେଶପଥ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଉ ଏକ ଅବଦାନ । ଜୁନ୍ ୨୦୨୬ରେ ଇଭି ଯାନର ଅଂଶୀଦାରିତାରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ (ଦେଶରେ ୧୨ %, ଓଡ଼ିଶାରେ ୧୭%) । ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ଓଡ଼ିଶାକୁ ୪୦.୫୦ କୋଟିରୁ ଅଧିକ ଅନୁଦାନ ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି।”
ପରିବେଶ ସୁରକ୍ଷା ଓ ଇନ୍ଧନ ସଞ୍ଚୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ବୈଦ୍ୟୁତିକ ଯାନ (ଇଭି) ବ୍ୟବହାର ନେଇ ଏକ ଅଭୂତପୂର୍ବ ଉତ୍ସାହ ସୃଷ୍ଟି ହୋଇଛି । ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଆହ୍ୱାନ କ୍ରମେ ଲୋକେ ବୈଦ୍ୟୁତିକ ଯାନ ବ୍ୟବହାର ପ୍ରତି ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି, ଯାହାଫଳରେ ଗତ ଜୁନ୍ ମାସରେ ସାରା ଦେଶ ମଧ୍ୟରେ ଓଡ଼ିଶାରେ ସର୍ବାଧିକ ପ୍ରତିଶତ ଇଭି ବିକ୍ରି ରେକର୍ଡ ହୋଇଛି ।
ଓଡ଼ିଶାରେ ‘ପିଏମ୍ ଇ-ଡ୍ରାଇଭ୍’ ଯୋଜନା ରୂପାୟନ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣକୁ ନୋଡାଲ ଏଜେନ୍ସି ଭାବେ ମନୋନୀତ କରାଯାଇଛି । ଏହି ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇଁ ଏସ୍ଟିଏ ଦ୍ୱାରା ଦାଖଲ ହୋଇଥିବା ପ୍ରସ୍ତାବକୁ ଭାରୀ ଶିଳ୍ପ ମନ୍ତ୍ରଣାଳୟ ଅନୁମୋଦନ କରିଛି ।
ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୬ଟି ସହରର ୧୭୦ଟି ସ୍ଥାନରେ ପବ୍ଲିକ ଇଭି ଚାର୍ଜିଂ ଷ୍ଟେସନ ଓ ଏଥିରେ ୬୮୮ଟି ଇଭି ଚାର୍ଜର ଏବଂ ୪ଟି ବ୍ୟାଟେରୀ ସ୍ୱାପିଂ ଷ୍ଟେସନ୍ (BSS) ସ୍ଥାପନ କରାଯିବ । ଇଭି ଚାର୍ଜିଂ ସୁବିଧା ସହଜରେ ଉପଲବ୍ଧ କରାଇବା ପାଇଁ ବିଭିନ୍ନ ସରକାରୀ ଦପ୍ତର ପରିସର, ପ୍ରମୁଖ ସଡ଼କ, ପାର୍କିଂ ସ୍ଥାନ, ରେଳଷ୍ଟେସନ୍, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, ପୋଲିସ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସ୍ଥାନଗୁଡ଼ିକୁ ପ୍ରସ୍ତାବିତ ସ୍ଥାନ ଭାବେ ଅନ୍ତର୍ଭୁକ୍ତ କରାଯାଇଛି ।
‘ପିଏମ୍ ଇ-ଡ୍ରାଇଭ୍’ ଯୋଜନାର କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ଅନୁମୋଦିତ ଆର୍ଥିକ ସହାୟତା ମଧ୍ୟରେ ଅପଷ୍ଟ୍ରିମ୍ ବୈଦ୍ୟୁତିକ ଭିତ୍ତିଭୂମି ଏବଂ ଇଭି ଯୋଗାଣ ଉପକରଣ ଉଭୟ ପାଇଁ ସହାୟତା ଅନ୍ତର୍ଭୁକ୍ତ ରହିଛି । ଏସ୍ଟିଏ ଏହି ଯୋଜନାର ନିର୍ଦ୍ଦେଶାବଳୀ ଅନୁସାରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ ଏବଂ ଭାରୀ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ‘ନ୍ୟାସନାଲ୍ ୟୁନିଫାଇଡ୍ ହବ୍’ ସହିତ ପରିଚାଳନାଗତ ମାନଦଣ୍ଡ ଏବଂ ତଥ୍ୟ ଏକୀକରଣ ବଜାୟ ରଖି ଚାର୍ଜିଂ ଷ୍ଟେସନ ଗୁଡ଼ିକର ସ୍ଥାପନ ଏବଂ କାର୍ଯ୍ୟକ୍ଷମତା ସୁନିଶ୍ଚିତ କରିବ।
ସେହିଭଳି ଓଡ଼ିଶାର ଇଭି ଅଭିଯାନକୁ ଆହୁରି ଆଗକୁ ନେବାକୁ ଓଡ଼ିଶା ସରକାର ମଧ୍ୟ ରାଜ୍ୟର ଇଭି ଚାର୍ଜିଂ ପରିବେଶକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟ ପରିବହନ ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) ମାଧ୍ୟମରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ବାରା ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୫୦୦ରୁ ଅଧିକ ଇଭି ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି । ବୈଦ୍ୟୁତିକ ଯାନ ବ୍ୟବହାରକାରୀଙ୍କ ପାଇଁ ଏକ ବାଧାମୁକ୍ତ ଏବଂ ସୁଗମ ଚାର୍ଜିଂ ନେଟୱାର୍କ ସୃଷ୍ଟି କରିବା ପାଇଁ ଏହି ଚାର୍ଜିଂ ଷ୍ଟେସନ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳ, ଅଟଳ ବସ୍ ଷ୍ଟାଣ୍ଡ, ଟ୍ରକ୍ ଟର୍ମିନାଲ୍ ଏବଂ ଅନ୍ୟାନ୍ୟ ପ୍ରମୁଖ ପରିବହନ ଭିତ୍ତିଭୂମିରେ ଯୋଜନା କରାଯାଇଛି ।
‘ପିଏମ୍ ଇ-ଡ୍ରାଇଭ୍’ ଯୋଜନା ଅଧୀନରେ କେନ୍ଦ୍ର ସରକାରଙ୍କ ଅନୁଦାନ ଏବଂ ରାଜ୍ୟ ସରକାରଙ୍କ ପଦକ୍ଷେପଗୁଡ଼ିକ ମିଳିତ ଭାବେ ଓଡ଼ିଶାର ଇଭି ଚାର୍ଜିଂ ଭିତ୍ତିଭୂମିକୁ ବହୁ ପରିମାଣରେ ସୁଦୃଢ଼ କରିବ, ବୈଦ୍ୟୁତିକ ଯାନଗୁଡ଼ିକର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବ ।
