ଇରାନର ସାମରିକ ଘାଟି ଉପରେ ଆମେରିକାର ଆକ୍ରମଣ ; ହର୍ମୁଜକୁ ନେଇ ସଂଘର୍ଷ ଜାରି

add-all

ତେହରାନ : ମଧ୍ୟପ୍ରାଚ୍ୟର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ବି ଆହୁରି ଗମ୍ଭୀର ରୂପ ନେଉଛି। ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ଆମେରିକା ନିଜର ଶକ୍ତିଶାଳୀ ବି-୧ ଲାନ୍ସର ଦୀର୍ଘ ପାଲ୍ଲାର ବିମାନକୁ ବ୍ୟବହାର କରି ଇରାନର ଏକାଧିକ ସାମରିକ ଘାଟି ଉପରେ ଭୟଙ୍କର ଆକ୍ରମଣ କରିଛି। ଆମେରିକୀୟ ସୂତ୍ର ଅନୁସାରେ, ବ୍ରିଟେନର ଏକ ସାମରିକ ଘାଟିରୁ ଉଡ଼ାଣ କରିଥିବା ବି-୧ ବମ୍ବର ଇରାନର ରିଭଲ୍ୟୁସନାରୀ ଗାର୍ଡ ସହ ଜଡ଼ିତ ଅନେକ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା। ଆମେରିକା କହିଛି ଇରାନର ସାମରିକ କ୍ଷମତାକୁ ଦୁର୍ବଳ କରିବା ଏବଂ ସମୁଦ୍ରପଥରେ ବାଣିଜ୍ୟିକ ଜାହାଜ ଉପରେ ବିପଦ କମାଇବା ଏହି ଅଭିଯାନର ଉଦ୍ଦେଶ୍ୟ। ଅନ୍ୟପଟେ ଇରାନ ଏହାକୁ ଉତ୍ତେଜନାମୂଳକ ପଦକ୍ଷେପ ବୋଲି କହି ପ୍ରତିଶୋଧ ନେବାକୁ ଚେତାବନୀ ଦେଇଛି। ଏହି ସଂଘର୍ଷ ମଧ୍ୟରେ ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ ହର୍ମୁଜ୍ ସମୁଦ୍ର ପ୍ରଣାଳୀକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ଇରାନ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିନଥିବା ବେଳେ ଆମେରିକା ଏହି ଅଞ୍ଚଳରେ ସାମରିକ ଚାପ ବଢ଼ାଇ ଚାଲିଛି।

ଏହାର ପ୍ରଭାବ ବିଶ୍ୱ ତୈଳ ବଜାର ଓ ଆନ୍ତର୍ଜାତିକ ବାଣିଜ୍ୟ ଉପରେ ପଡ଼ିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ସେପଟେ କୂଟନୈତିକ ସ୍ତରରେ ପରିସ୍ଥିତିକୁ ଶାନ୍ତ କରିବା ପାଇଁ କାତାର ଓ ଓମାନ ମଧ୍ୟସ୍ଥତା କରୁଥିବା ସୂଚନା ମିଳିଛି। ଇରାନ ଉପରେ ଆକ୍ରମଣ ସମ୍ପର୍କରେ ଆମେରିକାର ସେଣ୍ଟକମ୍‌ ତରଫରୁ ଦର୍ଶାଯାଇଛି ଯେ ହର୍ମୁଜ ପ୍ରଣାଳୀ ଦେଇ ପଣ୍ୟବାହୀ ଜାହାଜ ଚଳାଚଳ ସ୍ବାଭାବିକ କରିବା ଆମେରିକାର ଲକ୍ଷ୍ୟ। ଇରାନ ସେନା ତରଫରୁ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ କରାଯାଉଥିବା ବେଳେ ଆମେରିକା ସେନା ଇତିମଧ୍ୟରେ ଭିନ୍ନ ଏକ ମାର୍ଗ ଦେଇ ୯ଟି ପଣ୍ୟବାହୀ ଜାହାଜକୁ ସୁରକ୍ଷିତ ଭାବେ ଯାତ୍ରା କରିବାର ସୁଯୋଗ ଦେଇଛି। ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ୫୦ ହଜାରରୁ ଊର୍ଦ୍ଧ୍ବ ଆମେରିକା ସୈନ୍ୟ ମୁତୟନ ଅଛନ୍ତି। ସେମାନେ ଇରାନ ସେନାର ଯେକୌଣସି ଆକ୍ରମଣକୁ ପ୍ରତିହତ କରିବାକୁ ସକ୍ଷମ।
ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ​‌େ​‌ଡାଲାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ଉପରେ ଆମେରିକା ତରଫରୁ ଯେଭଳି ଆକ୍ରମଣ ହେଉଛି ସେଥିରେ ଇରାନର ନେତୃମଣ୍ଡଳୀ ଭୟଭୀତ ହୋଇପଡ଼ିଛନ୍ତି। ସେମାନେ ଆମେରିକା ସହ ସନ୍ଧି କରିବାକୁ ଚାହୁଁଛନ୍ତି। ଟ୍ରମ୍ପଙ୍କ ଏହି ବୟାନକୁ ଖାରଜ କରିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ୍ ଆରାଘଚି। ଆମେରିକା ଆକ୍ରମଣର ଦୃଢ଼ ଜବାବ ଇରାନ ଦେଉଛି ଏବଂ ଭବିଷ୍ୟତରେ ଏହା ଜାରି ରହିବ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.