
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ପ୍ରହ୍ଲାଦ ଯୋଶୀ । ପ୍ରହ୍ଲାଦ ଯୋଶୀ ଖାଦ୍ୟ, ସାଧାରଣ ବଣ୍ଟନ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ସହ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟଭାର ମଧ୍ୟ ସମ୍ଭାଳିବେ। ଆଜି ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ ପରେ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ସେ ଏହି ଦାୟିତ୍ୱକୁ କର୍ତ୍ତବ୍ୟବୋଧ ଓ ବିନମ୍ରତାର ସହ ସ୍ୱୀକାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଉପରେ ଯେଉଁ ଭରସା ରଖିଛନ୍ତି, ତାହାକୁ ସଫଳ କରିବା ପାଇଁ ସେ ନିଜର ସର୍ବୋତ୍ତମ ପ୍ରୟାସ କରିବେ ବୋଲି କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗତ ୧୨ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଅନେକ ଐତିହାସିକ ସଫଳତା ହାସଲ କରିଛି। ଗତ ୪ରୁ ୫ ବର୍ଷ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଶିକ୍ଷା ନୀତି ସଫଳତାର ସହ ଲାଗୁ ହୋଇଛି। ସେହି ଧାରାକୁ ଆଗକୁ ନେବା ପାଇଁ ସେ ନିଷ୍ଠାର ସହ କାମ କରିବେ ବୋଲି ମତ ପ୍ରକାଶ କରିଛନ୍ତି।
ପ୍ରହ୍ଲାଦ ଯୋଶୀଙ୍କ ଜନ୍ମ ୨୭ ନଭେମ୍ବର ୧୯୬୨ରେ କର୍ଣ୍ଣାଟକର ବିଜୟପୁରାର ଏକ ସାଧାରଣ ପରିବାରରେ ହୋଇଥିଲା। ପିଲାଦିନରୁ ସେ ସାମାଜିକ କାର୍ଯ୍ୟ ଓ ଜନସେବା ପ୍ରତି ଆଗ୍ରହୀ ଥିଲେ। ଛାତ୍ରଜୀବନରୁ ବିଭିନ୍ନ ସାମାଜିକ କାର୍ଯ୍ୟକଳାପରେ ସକ୍ରିୟ ଭାଗ ନେଇ ଲୋକଙ୍କ ସମସ୍ୟାକୁ ନିକଟରୁ ବୁଝିବା ସହ ସମାଧାନ ପାଇଁ ପ୍ରୟାସ କରୁଥିଲେ।
