ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ସମ୍ପନ୍ନ

add-all

ପୁରୀ: ଶ୍ରୀକ୍ଷେତ୍ରରେ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ଶେଷ ହେବା ପରେ ଆଜି ପବିତ୍ର ଦ୍ୱାଦଶୀ ତିଥିରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଥିଲା।

ଶ୍ରୀଜୀଉଙ୍କ ଅଧର (ଓଷ୍ଠ) ଉଚ୍ଚାର ଉଚ୍ଚ ମାଟି ହାଣ୍ଡିରେ ଏହି ମହାପ୍ରସାଦ ପଣା ସମର୍ପଣ କରାଯାଇଥିଲା। ଭୋଗ ଲାଗି ହେବା ପରେ ନିୟମ ଅନୁସାରେ ରଥ ଉପରେ ସେହି ପଣା ହାଣ୍ଡିଗୁଡ଼ିକୁ ଭଙ୍ଗାଯାଇଥିଲା। ସାଧାରଣତଃ ଏହି ପଣା ଭକ୍ତଙ୍କ ପାଇଁ ନୁହେଁ, ବରଂ ରଥ ପାର୍ଶ୍ୱରେ ଥିବା ଦେବଦେବୀ, ଅଶରୀର ଆତ୍ମା, ଚଣ୍ଡୀ ଓ ଚାମଣ୍ଡାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥାଏ।

ଏହି ସ୍ୱତନ୍ତ୍ର ନୀତି ପାଇଁ ତିନୋଟି ରଥରେ ମୋଟ ୯ଟି ସ୍ୱତନ୍ତ୍ର ତୁମ୍ବାକୃତି ମାଟି ହାଣ୍ଡିରେ ପଣା ଭୋଗ କରାଯାଇଥିଲା। ପ୍ରତି ରଥରେ ୩ଟି ଲେଖାଏଁ ହାଣ୍ଡି ରଖାଯାଇଥିଲା। ଏହି ପଣାରେ ଛେନା, କ୍ଷୀର, ସର, କଦଳୀ, ଛାଚି, ଗୋଲମରିଚ, ଜାଇଫଳ ଓ କର୍ପୂର ଭଳି ସୁବାସିତ ସାମଗ୍ରୀ ମିଶ୍ରଣ କରାଯାଇ ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।

ଅଧର ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସହ ରାଘବଦାସ ମଠ ଓ ବଡ଼ଓଡ଼ିଆ ମଠ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଥିଲା। ପାରମ୍ପରିକ କୁମ୍ଭାର ସେବକମାନେ ଏହି ବିଶେଷ ନୀତି ପାଇଁ ୯ଟି ଅଧର ହାଣ୍ଡି ତିଆରି କରି ଯୋଗାଇଥିଲେ। ସକାଳେ ମଙ୍ଗଳ ଆଳତି ଓ ଅପରାହ୍ନରେ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ସନ୍ଧ୍ୟା ଓ ରାତି ମଧ୍ୟରେ ଅଧରପଣା ନୀତି ସଫଳତାର ସହ ଶେଷ ହୋଇଛି।

ad-week
Leave A Reply

Your email address will not be published.