
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଆବାସ ଯୋଜନାରେ ହିତାଧିକାରୀଙ୍କ ତାଲିକା ନେଇ ବେଶ ମାନମାନି କରାଯାଇଥିବା ଅଭିଯୋଗ ଉଠିଛି । ତେବେ ପ୍ରଥମ ପର୍ଯ୍ୟାୟ ତାଲିକା ଆସିବା ପରେ ବିଭିନ୍ନ ବ୍ଳକରେ ନାମ କଟିଥିବା ଯୋଗ୍ୟ ହିତାଧିକାରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ିବାରେ ଲାଗିଛି । ଏସବୁ ମଧ୍ୟରେ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କାଇମାଟି ଗ୍ରାମ ପଞ୍ଚାୟତରେ ୩୭୨ ଜଣ ହିତାଧିକାରୀ ମାନେ ଆବାସ ପାଇଁ ପଞ୍ଜିକରଣ କରିଥିଲେ । ପ୍ରଥମ ପର୍ଯ୍ୟାୟ ସର୍ଭେ ପରେ ସେଥିରୁ ୧୬୯ ଜଣଙ୍କର ନାମ କଟି ଯାଇଥିବା ତାଲିକାରୁ ଜଣାପଡିଛି ।
ତାଲିକାରୁ ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହିତ ଢେଙ୍କାନାଳ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଭିଯୋଗ କରାଯାଇଥିଲା । ଏହାର ସତ୍ୟାସତ୍ୟ ତଦାରଖ କରିବା ପାଇଁ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗହମଖୁଣ୍ଟି ଗ୍ରାମରେ ପହଞ୍ଚି ଥିଲେ ଯେଉଁ ଯୋଗ୍ୟ ହିତାଧିକାରୀ ମାନଙ୍କର ନାମ ତାଲିକାରୁ ବାଦ୍ ପଡିଥିଲା ସେମାନଙ୍କ ଘରକୁ ଘର ବୁଲି ଦେଖିଥିଲେ ମନ୍ତ୍ରୀ । ସେମାନଙ୍କର ପରିସ୍ଥିତି ଓ ଘରର ଅବସ୍ଥା ଦେଖି ମନ୍ତ୍ରୀ ନିଜେ ହୃଦୟଙ୍ଗମ କରିବା ସହିତ ସଦର ବିଡିଓ ଏବଂ ପିଇଓଙ୍କୁ କଡା ତାଗିଦ କରିଥିଲେ ।
ଆଉଥରେ ତଦନ୍ତ କରି ଯୋଗ୍ୟ ହିତାଧିକାରୀ ମାନଙ୍କ ନାମକୁ ତୁରନ୍ତ ତାଲିକାଭୁକ୍ତ କରି ସେମାନଙ୍କୁ ଆବାସ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର ।
