
ସାଲେପୁର : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । କଟକ ଜିଲ୍ଲା ନେମାଳ ଥାନା ସହଦେବପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ଵିତ ରାତିରେ ସ୍ତ୍ରୀ ରୋଜାଲିନକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ଵାମୀ ଶୈଳେନ୍ଦ୍ର ମଲିକ।
ସୂଚନାନୁଯାୟୀ, ନେମାଳ ଥାନା ସହଦେବପୁର ଗାଁର ଶୈଳେନ୍ଦ୍ର ମଲିକ ଜୁଲାଇ ୧୨ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଞ୍ଚଳର ନାନକାର ଗାଁର ରୋଜାଲିନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଗତକାଲି ରାତିରେ ଖିଆପିଆ ସାରି ସ୍ଵାମୀ-ସ୍ତ୍ରୀ ଦୁହେଁ ଶୋଇବାକୁ ଯାଇଥିଲେ। ହଠାତ୍ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଶୈଳେନ୍ଦ୍ର ଏକ ଟାଙ୍ଗିଆରେ ରୋଜାଲିନଙ୍କୁ ଲହୁଲୁହାଣ କରି ପକାଇଥିଲେ । ଘଟଣାସ୍ଥଳରେ ହିଁ ରୋଜାଲିନଙ୍କ ପ୍ରାଣବାୟୁ ଉଡିଯାଇଥିଲା । ପରିବାରର ଅନ୍ୟ ସଦସ୍ୟମାନଙ୍କୁ ହାଣିବା ଭୟ ଦେଖାଇ ଶୈଳେନ୍ଦ୍ର ଫେରାର ହୋଇଯାଇଛି ।
ଅନ୍ୟପଟେ ରୋଜାଲିନଙ୍କ ପରିବାର ଲୋକେ ଏହି ହତ୍ୟାକାଣ୍ଡରେ ଶୈଳେନ୍ଦ୍ରଙ୍କ ପରିବାର ଲୋକ ସାମିଲ ଥିବା ଅଭିଯୋଗ କରିଛନ୍ତି । ଏହି ଘଟଣା ଆକସ୍ମିକ। ହତ୍ୟାର କାରଣ ଜାଣିନାହାନ୍ତି ବୋଲି ଶୈଳେନ୍ଦ୍ରଙ୍କ ବାପା -ମାଆ ସଫେଇ ଦେଇଛନ୍ତି । ୨ ମାସ ତଳେ ଶୈଳେନ୍ଦ୍ର କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ନାନକାର ଗାଁର ରୋଜାଲିନଙ୍କୁ ବିବାହ କରିଥିଲେ । ସ୍ୱାମୀ -ସ୍ତ୍ରୀ ମଧ୍ୟରେ ସୁସମ୍ପର୍କ ଥିଲା । ତେବେ ହତ୍ୟାକାଣ୍ଡର କାରଣ ଖୋଜୁଛି ନେମାଳ ପୋଲିସ ।
