
ପୁରୀ : ପୁଣିଥରେ ଶ୍ରୀମନ୍ଦିର ଭିତରର ଭିଡିଓ ପ୍ରଘଟ ହୋଇଛି। କୃର୍ତ୍ତିକା-କ୍ରେପ ୨୦୧୭ ଇନଷ୍ଟାଗ୍ରାମ୍ ଆଇଡିରୁ ଶ୍ରୀମନ୍ଦିର ଭିତର ବେଢ଼ା ଭିଡିଓ ପ୍ରଘଟ ହୋଇଥିବା ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ଜଣକ ଶ୍ରୀମନ୍ଦିର ଭିତରବେଢ଼ାରେ ଥାଇ ନୀଳଚକ୍ରରେ ବାନା ପରିବର୍ତ୍ତନ ସମୟର ଭିଡିଓ କରି ତାହାକୁ ପୋଷ୍ଟ କରିଛନ୍ତି। ଏହାକୁ ନେଇ ପୁଣିଥରେ ବଡ଼ଦେଉଳର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ, ଏହି ଘଟଣାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉଦ୍ବେଗ
ପ୍ରକାଶ ପାଇଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଜାନୁଆରୀ ୧୭ରେ ଜାରି ନୂଆ ନିର୍ଦେଶାବଳୀ ମୁତାବକ, ଭକ୍ତ, ସେବାୟତ, ପୁଲିସ କର୍ମଚାରୀ ଏବଂ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେଇପାରିବେ ନାହିଁ। କିନ୍ତୁ ଏହି ନିର୍ଦେଶନାମା ସତ୍ତ୍ବେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ କିଭଳି ଯାଉଛି, ତାହାକୁ ନେଇ ଶ୍ରଦ୍ଧାଳୁ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀମନ୍ଦିର ବାହାରେ ଓ ଭିତରେ ପୁଲିସର କଡ଼ା ସୁରକ୍ଷା। ମନ୍ଦିର ଭିତରେ ଶ୍ରୀମନ୍ଦିର ପ୍ରଶାସନର ମାଳମାଳ କର୍ମଚାରୀ, ସେବାୟତ, ଜେଟିପି ଉପସ୍ଥିତ ରହୁଛନ୍ତି। କିନ୍ତୁ ଏଭଳି ଘଟଣା କିପରି କାହାରି ଆଖିରେ ପଡ଼ୁନି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ତେବେ ମନ୍ଦିର ଭିତର ବେଢ଼ାର ଭିଡିଓ ପ୍ରଘଟ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭକ୍ତ ମହଲ ଦାବି କରିଛନ୍ତି। ଏନେଇ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ଥିବା ପ୍ରଶାସକ ହେମନ୍ତ କୁମାର ପାଢ଼ୀଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ସେ ଜାଣି ନାହାନ୍ତି। ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
