‘କୌନ ବନେଗା କରୋଡ଼ପତି’ ମଞ୍ଚରେ ମାଲକାନଗିରିର ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଦା

add-all

ମାଲକାନଗିରି: ଦିନେ ମାଆଙ୍କ ସହ ଜଙ୍ଗଲରୁ ମହୁଲ ଫୁଲ ଓ ଜାଳେଣି କାଠ ସଂଗ୍ରହ କରୁଥିବା ଝିଅ ଆଜି ପହଞ୍ଚିଛନ୍ତି ବଲିଉଡର ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଟିଭି ଶୋ”କୌନ ବନେଗା କରୋଡ଼ପତି’ (କେବିସି)ମଞ୍ଚରେ । ସେ ହେଉଛନ୍ତି ମାଲକାନଗିରି ଜିଲ୍ଲାର ପରିଚିତ ଚେହେରା ତଥା’ଜଙ୍ଗଲ ରାଣୀ’ ଭାବେ ଖ୍ୟାତ ଆଦିବାସୀ ସାମ୍ବାଦିକା ଜୟନ୍ତୀ ବୁରୁଦା। ଚଳିତ ଥର କେବିସିର ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଓଡ଼ିଶାରୁ ଏକମାତ୍ର ପ୍ରତିନିଧି ଭାବେ ମନୋନୀତ ହୋଇ ଜୟନ୍ତୀ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି।

ମାଲକାନଗିରି ଜିଲ୍ଲା ସେର୍‌ପାଲ୍ଲୀ ଗାଁର ଏକ କୋୟା ଆଦିବାସୀ ପରିବାରରେ ଜନ୍ମିତ ଜୟନ୍ତୀଙ୍କ ପିଲାଦିନ ଜଙ୍ଗଲ ଓ ପ୍ରକୃତି ସହ ବିତିଥିଲା। ପରିବାରର ୧୧ ଜଣ ଭାଇଭଉଣୀଙ୍କ ମଧ୍ୟରୁ ସେ ନବମ। ଆର୍ଥିକ ଅନାଟନ ସତ୍ତ୍ୱେ ନିଜ ଶିକ୍ଷକଙ୍କ ପ୍ରେରଣାରେ ସେ ନିଜ ଶ୍ରେଣୀରୁ ଦଶମ ପାସ୍ କରିଥିବା ପ୍ରଥମ ଆଦିବାସୀ ଝିଅ ଭାବେ ନିଜ ଦୃଢ଼ ମନୋବଳର ପରିଚୟ ଦେଇଥିଲେ। ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ଲାଭ କରିବା ସହିତ ସାମ୍ବାଦିକତାକୁ ନିଜର ପେସା ଭାବେ ବାଛି ନେଇଥିଲେ ଜୟନ୍ତୀ।

ଆଦିବାସୀ ସମ୍ପ୍ରଦାୟର ସମସ୍ୟା, ମହିଳା ସଶକ୍ତୀକରଣ ଏବଂ ଉପାନ୍ତ ଅଞ୍ଚଳର ଦୁଃଖକଷ୍ଟକୁ ସାମ୍ନାକୁ ଆଣିବାରେ ତାଙ୍କର ନିରନ୍ତର ପ୍ରୟାସ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ତାଙ୍କର ଏହି ନିସ୍ୱାର୍ଥପର ସମାଜସେବା ଯୋଗୁଁ ତାଙ୍କୁଫୋର୍ବସ ଇଣ୍ଡିଆ ପରି ଅନ୍ତର୍ଜାତୀୟ ପତ୍ରିକାରେ ମଧ୍ୟ ସ୍ଥାନ ମିଳିଥିଲା।

କେବିସି ମଞ୍ଚରେ ପହଞ୍ଚିବାର ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଥିବାରୁ ଜୟନ୍ତୀ ବେଶ୍ ଉତ୍ସାହିତ ଅଛନ୍ତି। ଯଦିଓ ସେ ଶେଷ ପର୍ଯ୍ୟାୟ ଅତିକ୍ରମ କରି ‘ହଟ୍ ସିଟ୍’ରେ ବସିବାର ସୁଯୋଗ ପାଇପାରିଲେ ନାହିଁ, ତଥାପି ଅମିତାଭ ବଚ୍ଚନଙ୍କୁ ଭେଟିବା ଓ ଜାତୀୟସ୍ତରରେ ନିଜ ଅଞ୍ଚଳର ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ଏକ ଅବିସ୍ମରଣୀୟ ଅନୁଭୂତି ବୋଲି ସେ ପ୍ରକାଶ କରିଛନ୍ତି । ନିଜ ଆଦିବାସୀ ସମ୍ପ୍ରଦାୟ ତଥା ମାଲକାନଗିରିର ପରିଚୟକୁ ଏତେ ବଡ଼ ପ୍ଲାଟଫର୍ମରେ ପହଞ୍ଚାଇ ପାରିଥିବାରୁ ସେ ଗର୍ବିତ ଏବଂ ଆଗାମୀ ଦିନରେ ପୁଣି ଥରେ ହଟ୍ ସିଟ୍ ପାଇଁ ଉଦ୍ୟମ କରିବେ ବୋଲି ଆଶା ରଖିଛନ୍ତି ।

ad-week
Leave A Reply

Your email address will not be published.