
ଯାଜପୁର : ଏକାସାଙ୍ଗରେ ଜଳିଲା ବାପ-ପୁଅଙ୍କ ଜୁଇ । ଲୁହରେ ଭିଜିଲା ଗାଁ । ପୁଅର ମୃତ୍ୟୁ ଖବର ପାଇ ହୃଦଘାତରେ ଗଲା ବାପାର ଜୀବନ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ନୋସ୍ତା ଗାଁରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ । ମୃତକ ହେଲେ ସୁବ୍ରତ ମହାନ୍ତି ଓ ପୁଅ ଉଜ୍ବଳ ମହାନ୍ତି। କୌଣସି କାରଣକୁ ନେଇ ଉଜ୍ବଳ କୀଟନାଶକ ପିଇଦେଇଥିଲେ। ତାଙ୍କୁ ଭୁବନେଶ୍ବରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ ହେବା ପରେ ମେଡିକାଲରେ ଜଗିଥିବା ବାପା ହୃଦଘାତର ଶିକାର ହୋଇଥିଲେ। ମାତ୍ର ୪ ଘଣ୍ଟା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଉଭୟଙ୍କୁ ମରଶରୀରକୁ ଗାଁକୁ ଅଣାଯାଇଥିଲା । ମୃତଦେହ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ପରେ ଗାଁ ମଶାଣିରେ ଅନ୍ତିମ ସତ୍କାର କରାଯାଇଛି। ବାପ-ପୁଅଙ୍କ ମୃତ୍ୟୁ ପରେ ପୁରା ଗାଁ ସ୍ତବ୍ଧ ହୋଇପଡ଼ିଛି ।
ସେହିପରି ଆଜି ଭୁବନେଶ୍ୱରର ଖଣ୍ଡଗିରି ଓଭରବ୍ରିଜ୍ ରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା । ବାଇକ୍ ଆରୋହୀଙ୍କୁ ଧକ୍କା ଦେଇ ବସ୍ ଫେରାର୍ ହୋଇଯାଇଥିଲା । ଘଟଣାସ୍ଥଳରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।
