
ନୟାଗଡ଼: ଓଡ଼ଗାଁ ଏନଏସି ପକ୍ଷରୁ ଆଦର୍ଶ ମାଛ ବଜାର ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ମାଛ ବିକ୍ରି ଉପରେ ରୋକ ଲଗାଇବାକୁ ନିଷ୍ପତି ନିଆଯାଇଛି ।ଏହାକୁ ନେଇ ଆସନ୍ତା ୧୮ ତାରିଖରୁ ଅନ୍ୟତ୍ର ବିକ୍ରି ଉପରେ କଟକଣାକୁ କଡାକଡି ଭାବରେ ଲାଗୁ କରାଯିବ।ଓଡ଼ଗାଁ ଏନଏସି ସଭାଗୃହରେ ନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ମାଛ ବ୍ୟବସାୟୀ ମାନଙ୍କୁ ନେଇ ଏକ ଆଲୋଚନା ବୈଠକ ହୋଇଥିଲା ।ଏହି ବୈଠକରେ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଓଡ଼ଗାଁ ଥାନାର ଭାରପ୍ରାପ୍ତ ଅଧିକାରୀ ସତ୍ୟନାରାୟଣ ବାରିକ ସମେତ ଓଡ଼ଗାଁ ଏନଏସି ଅଞ୍ଚଳରେ ମାଛ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ।ଅଗଷ୍ଟ ୧୪ ତାରିଖ ମଧ୍ୟରେ ମାଛ ବ୍ୟବସାୟୀ ମାନେ ଆଦର୍ଶ ମାଛ ବଜାରରେ ବ୍ୟବସାୟ ପାଇଁ ଆବେଦନ କରିବେ ଏବଂ ବଜାରରେ ଥିବା ୨୦ଟି ପିଣ୍ଡି ଲଟେରୀ ମାଧ୍ୟମରେ ବ୍ୟବସାୟୀ ମାନଙ୍କୁ ଆବଣ୍ଟନ କରାଯିବ ।ଅଗଷ୍ଟ ୧୮ ତାରିଖରୁ ମାଛ ବ୍ୟବସାୟୀ ମାନେ କେବଳ ଆଦର୍ଶ ମାଛ ବଜାରରେ ବ୍ୟବସାୟ କରିପାରିବେ । ବ୍ୟବସାୟୀ ମାନେ ଶୃଙ୍ଖଳିତ ଓ ସହଯୋଗ ମୂଳକ ଭାବେ ଆଦର୍ଶ ମାଛ ବଜାରରେ ବ୍ୟବସାୟ କରିବାକୁ ତହସିଲଦାର ଓ ଥାନାର ଭାରପ୍ରାପ୍ତ ଅଧିକାରୀ ପରାମର୍ଶ ଦେଇଥିଲେ ।
