
ମାଲକାନଗିରି : ଗତ ଦୁଇଦିନ ଧରି ମାଲକାନଗିରି ଜିଲ୍ଲାର ଏମ୍ଭୀ ୧୦୪ ଗାଁରେ କୁମ୍ଭୀର ଆତଙ୍କରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ଆଜି ଗ୍ରାମବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଦୀର୍ଘ ୨ଦିନ ଧରି ବନ୍ ବିଭାର ପକ୍ଷରୁ ଚାଲିଥିବା ଉଦ୍ଧାର ଅଭିଯାନ ଆଜି ସଫଳ ହୋଇଛି । ଆଜି ସକାଳୁ ପୋଖରୀ ଭିତରେ ଥିବା ଏକ ଗାତରୁ ଏହି ୫ ଲମ୍ବ ଫୁଟ୍ କୁମ୍ଭୀରକୁ ଧରିବାରେ ସଫଳ ହୋଇଛି ରାପିଡ୍ ରେସପନ୍ସ ଟିମ୍। ପୋଖରୀ ଭିତରେ ଗାତ ମଧ୍ୟରେ ଲୁଚି ରହିଥିବା କୁମ୍ଭୀରକୁ ଅତ୍ୟନ୍ତ ସତର୍କତାର ସହ ଉଦ୍ଧାର କରାଯାଇଥିଲା। କୁମ୍ଭୀର ଧରାପଡ଼ିବା ପରେ ତାକୁ ବାଲିମେଳାସ୍ଥିତ ଆନିମାଲ୍ ରେସ୍କ୍ୟୁ ଟ୍ରିଟମେଣ୍ଟ ସେଣ୍ଟରକୁ ନିଆଯାଇଛି। ସେଠାରେ କୁମ୍ଭୀରର ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ସହ କରାଯିବ। ଏହାପରେ ବନ ବିଭାଗର ନିଷ୍ପତ୍ତି ଅନୁଯାୟୀ କୁମ୍ଭୀରକୁ ପୁଣି ବାଲିମେଳା ଜଳଭଣ୍ଡାରରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। କୁମ୍ଭୀରକୁ ନେଇ ଗତ କିଛି ଦିନ ଧରି ଏମ୍ଭି ୧୦୪ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ଲାଗି ରହିଥିଲା। ପୋଖରୀ ନିକଟକୁ ଯିବାକୁ ମଧ୍ୟ ଲୋକେ ଭୟ କରୁଥିଲେ।
କୁମ୍ଭୀର ଧରା ପଡିବା ପରେ ଏବେ ଗ୍ରାମବାସୀଙ୍କ ମନରୁ ଭୟ ଦୂର ହୋଇଛି। ରାପିଡ୍ ରେସପନ୍ସ ଟିମ୍ ଓ ବନ ବିଭାଗର ଏହି ସଫଳ ଅଭିଯାନକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
