ସରକାରଙ୍କ ବଡ଼ ନିଷ୍ପତ୍ତି, ବର୍ଷେ ଯାଏଁ କର୍ଣ୍ଣାଟକରେ ମିଳିବନି ଗୁଟଖା

add-all

ବେଙ୍ଗାଲୁରୁ : କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି । ବର୍ଷକ ପାଇଁ ରାଜ୍ୟରେ ତମାଖୁ ଓ ନିକୋଟିନ ସାମଗ୍ରୀ ଥିବା ସମସ୍ତ ପ୍ରକାର ଗୁଟଖା ଓ ପାନ ମସଲା ଉପରେ ବ୍ୟାନ ଲଗାଇଛନ୍ତି । ଅଗଷ୍ଟ ୧୦ ତାରିଖରେ ଏକ ବିଜ୍ଞପ୍ତି ଜାରି କରି ସରକାର ଏହି ସୂଚନା ଦେଇଛନ୍ତି । ବର୍ଷେ ଯାଏଁ କର୍ଣ୍ଣାଟକରେ ଏହି ନିୟମ ଲାଗୁ ରହିବ । ଲୋକଙ୍କ ସ୍ୱାସ୍ଥ୍ୟ ହିତରେ ଏହି ବ୍ୟାନ ଲଗାଯାଇଛି ବୋଲି କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି । ଏହିସବୁ ସାମଗ୍ରୀର ବିକ୍ରି, ଡିଷ୍ଟ୍ରିବ୍ୟୁସନ ଓ ପ୍ରଡକ୍ସନ ଉପରେ ବ୍ୟାନ୍ ଲାଗିଥିବା ବେଳେ ବ୍ୟବହାର ଉପରେ କିନ୍ତୁ ରୋକ ଲଗାଯାଇ ନାହିଁ । ବ୍ୟବହାର ନେଇ ସରକାରୀ ବିଜ୍ଞପ୍ତିରେ କୌଣସି ସୂଚନା ଦିଆଯାଇ ନାହିଁ।

ଖାଦ୍ୟ ସୁରକ୍ଷା ଏବଂ ଡ୍ରଗ୍ସ ଆଡମିନିଷ୍ଟ୍ରେସନ୍ ବିଭାଗର ଫୁଡ୍ ସେଫ୍ଟି ଡିଭିଜନ୍ ତରଫରୁ ଗୁଟଖା, ପାନ୍ ମସଲା ଏବଂ ତମାଖୁ କିମ୍ବା ନିକୋଟିନ୍ ଥିବା ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀର ଉତ୍ପାଦନ, ସଂରକ୍ଷଣ, ପରିବହନ, ବଣ୍ଟନ ଓ ବିକ୍ରି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଖାଦ୍ୟ ସୁରକ୍ଷା ଅଧିକାରୀ (FSO) ମାନଙ୍କ ନେତୃତ୍ୱରେ ସାରା କର୍ଣ୍ଣାଟକରେ ଏଥିପାଇଁ ସ୍ୱତନ୍ତ୍ର ଯାଞ୍ଚ ଏବଂ ଚଢ଼ାଉ ଅଭିଯାନ ଜାରି ରହିଛି ।

କେବଳ ପ୍ରତ୍ୟକ୍ଷ ଗୁଟଖା ନୁହେଁ, ବରଂ ଅଲଗା ଅଲଗା ପ୍ୟାକେଟରେ ବିକ୍ରି ହେଉଥିବା ଏବଂ ଗ୍ରାହକ ନିଜେ ମିଶାଇ ବ୍ୟବହାର କରୁଥିବା ନିକୋଟିନ୍ କିମ୍ବା ତମାଖୁଯୁକ୍ତ ସମସ୍ତ ପ୍ରକାର ଉତ୍ପାଦ ଉପରେ ଏହି କଟକଣା ଲାଗୁ ହେବ । ଯେପରି ଆଗାମୀ ଦିନରେ ନିୟମରେ କୌଣସି ଉଲଘଂନ ନହୁଏ ସେନେଇ କର୍ଣ୍ଣାଟକ ସରକାର କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଖାଦ୍ୟ ସୁରକ୍ଷା ଓ ମାନକ ଆଇନ୍, ୨୦୦୬ର ଧାରା ୩୦(୨)(a) ଏବଂ ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରି ପ୍ରତିବନ୍ଧକ ଏବଂ କଟକଣା) ନିୟମାବଳୀ, ୨୦୧୧ର ନିୟମ ୨.୩.୪ ଅନୁଯାୟୀ ବିଭାଗ ପକ୍ଷରୁ ଅଗଷ୍ଟ ୧୦ ତାରିଖରେ ଏହି ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି ।

ad-week
Leave A Reply

Your email address will not be published.