
ଜୟପୁର : ରାଜସ୍ଥାନର ଜୟପୁର ଗ୍ରାମୀଣ ଜିଲ୍ଲାରେ ଏକ ବୋଲେରୋ ଧକ୍କାରେ ୪ ମୃତ୍ୟୁ ହୋଇଛି । ଫାଗି ଥାନା ଅଞ୍ଚଳରେ ରାସ୍ତା କଡ଼ରେ ଚାଲି ଚାଲି ଘରକୁ ଫେରୁଥିବା ୫ ଜଣଙ୍କୁ ବୋଲେରୋ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରୁଛି ।
ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣ ପ୍ରାଣ ହରାଇଛନ୍ତି । ଏମାନେ କ୍ଷେତରେ କାମ ସାରି ପାଦରେ ଘରକୁ ଫେରୁଥିବା ସମୟରେ ଫାଗି-ମାଧୋରାଜପୁରା ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ବୋଲେରୋ ଚାଳକ ଗାଡ଼ିଟିକୁ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି । ପୋଲିସ ଗାଡ଼ିକୁ ଜବତ କରିବା ସହ ଫେରାର ଚାଳକଙ୍କୁ ଖୋଜୁଛି ।
ମୃତକମାନେ ହେଲେ ସତ୍ୟନାରାୟଣ (୬୫), ତାଙ୍କ ପତ୍ନୀ ମନମୋଜ (୬୦) ଏବଂ ଦୁଇ ବୋହୂ ଅମୃତା ଦେବୀ (୩୫) ଓ ଶିମ୍ଲା ଦେବୀ (୨୩) । ସେହିପରି ସତ୍ୟନାରାୟଣଙ୍କ ପୁଅ ବଦ୍ରିନାରାୟଣ ଗୁରୁତର ଆହତ ହୋଇଛନ୍ତି ।
ତେବେ ପରିବାରର ୪ ଜଣଙ୍କ ମୃତ୍ୟୁ ଖବର ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ବହୁ ସଂଖ୍ୟାରେ ଗ୍ରାମବାସୀ ହସ୍ପିଟାଲ ବାହାରେ ଏକାଠି ହୋଇ ପ୍ରତିବାଦ କରିଥିଲେ । ପରେ ସେମାନେ ପୋଷ୍ଟ ଅଫିସ୍ ତିରାହାରେ ରାସ୍ତା ଅବରୋଧ କରି କ୍ଷତିପୂରଣ ଓ ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କ ପାଇଁ ୧ କୋଟି ଟଙ୍କା କ୍ଷତିପୂରଣ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବାକୁ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି ।
