ରାକ୍ଷୀ ପୂର୍ଣ୍ଣିମାରେ ଲାଗୁଛି ବର୍ଷର ଶେଷ ଆଂଶିକ ଚନ୍ଦ୍ରଗ୍ରହଣ

Independence

ନୂଆଦିଲ୍ଲୀ: ଭାଇ ଓ ଭଉଣୀ ମଧ୍ୟରେ ଥିବା ଅତୁଟ ସ୍ନେହ, ପ୍ରେମ ଏବଂ ବିଶ୍ୱାସର ପବିତ୍ର ପ୍ରତୀକ ହେଉଛି ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା । ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ଏହି ମହାନ ପର୍ବକୁ ସମଗ୍ର ଦେଶରେ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ତେବେ ଆସନ୍ତା ୨୦୨୬ ମସିହା ଅଗଷ୍ଟ ୨୮ ତାରିଖ (ଶୁକ୍ରବାର) ଦିନ ରାକ୍ଷୀ ପୂର୍ଣ୍ଣିମା ପଡ଼ୁଥିବା ବେଳେ, ସେହି ଦିନ ଏକ ବିରଳ ଖଗୋଳୀୟ ସଂଯୋଗ ମଧ୍ୟ ସୃଷ୍ଟି ହେବାକୁ ଯାଉଛି। କାରଣ ଅଗଷ୍ଟ ୨୮ ତାରିଖରେ ବର୍ଷର ଶେଷ ଆଂଶିକ ଚନ୍ଦ୍ରଗ୍ରହଣ ଲାଗିବ । ରକ୍ଷାବନ୍ଧନ ଭଳି ଏକ ଶୁଭ ଦିନରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ, ଏହାକୁ ନେଇ ଲୋକଙ୍କ ମନରେ ସୂତକ କାଳ ଏବଂ ରାକ୍ଷୀ ବାନ୍ଧିବା ସମୟକୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ତେବେ ଧର୍ମଶାସ୍ତ୍ର ଓ ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଆଶଙ୍କା ଏବେ ଦୂର ହୋଇଛି ।

ପାଞ୍ଜି ଗଣନା ଅନୁଯାୟୀ, ଅଗଷ୍ଟ ୨୮ ତାରିଖ ସକାଳ ୬ଟା ୫୩ ମିନିଟରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ ଏବଂ ଏହା ଅପରାହ୍ନ ୧୨ଟା ୩୨ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଖୁସିର କଥା ହେଉଛି, ଭାରତରେ ଏହି ସମୟରେ ଦିନ ହୋଇଥିବାରୁ ଚନ୍ଦ୍ରଗ୍ରହଣ ଆଦୌ ଦୃଶ୍ୟମାନ ହେବ ନାହିଁ। ହିନ୍ଦୁ ଧର୍ମଶାସ୍ତ୍ର ମୁତାବକ, ଯେଉଁ ସ୍ଥାନରେ ଗ୍ରହଣ ଦେଖାଯାଏ ନାହିଁ, ସେଠାରେ ସୂତକ କାଳର ନିୟମ ପ୍ରଯୁଜ୍ୟ ହୁଏ ନାହିଁ। ତେଣୁ ଭାରତରେ ଏହି ଗ୍ରହଣର ସୂତକ ଲାଗିବ ନାହିଁ। ଅର୍ଥାତ୍ ମନ୍ଦିରର କବାଟ ବନ୍ଦ ହେବ ନାହିଁ କିମ୍ବା ରାକ୍ଷୀ ପାଳନରେ କୌଣସି ଧାର୍ମିକ କଟକଣା ରହିବ ନାହିଁ ।

ଚଳିତ ବର୍ଷ ଶ୍ରାବଣ ପୂର୍ଣ୍ଣିମା ତିଥି ଅଗଷ୍ଟ ୨୭ ତାରିଖ ସକାଳ ୯ଟା ୦୮ ମିନିଟରୁ ଆରମ୍ଭ ହୋଇ ଅଗଷ୍ଟ ୨୮ ସକାଳ ୯ଟା ୪୮ ମିନିଟ୍ ପର୍ଯ୍ୟନ୍ତ ରହିବ। ପ୍ରାୟତଃ ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରା କାଳର ଛାୟା ପଡ଼ିଥାଏ, ଯାହାକି ଅଶୁଭ ବୋଲି ବିବେଚନା କରାଯାଏ। ମାତ୍ର ଚଳିତ ବର୍ଷ ଭଦ୍ରା କାଳ ଅଗଷ୍ଟ ୨୭ ତାରିଖ ରାତି ୯ଟା ୩୨ ମିନିଟରେ ଶେଷ ହୋଇଯାଉଛି। ଫଳରେ ଅଗଷ୍ଟ ୨୮ ତାରିଖ ସକାଳେ ରାକ୍ଷୀ ବାନ୍ଧିବା ପାଇଁ ଏକ ନିର୍ଦ୍ଦୋଷ ଏବଂ ପବିତ୍ର ସମୟ ମିଳିବ। ତେଣୁ ଅଗଷ୍ଟ ୨୮ ତାରିଖ ସକାଳ ୫ଟା ୫୮ ମିନିଟରୁ ନେଇ ସକାଳ ୯ଟା ୪୮ ମିନିଟ୍ ମଧ୍ୟରେ ରାକ୍ଷୀ ବାନ୍ଧିବା ପାଇଁ ସର୍ବୋତ୍ତମ ମୁହୂର୍ତ୍ତ ରହିଛି। ଏହି ସମୟରେ ଭଉଣୀମାନେ ନିଜ ଭାଇମାନଙ୍କ ମଥାରେ ତିଳକ ଲଗାଇ, ରାକ୍ଷୀ ବାନ୍ଧି ମିଠା ଖୁଆଇ ପାରିବେ ।

ଗ୍ରହଣର ସୂତକ ନଥିବାରୁ ରୋଷେଇ ଉପରେ ମଧ୍ୟ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଭଉଣୀମାନେ ନିଜ ସୁବିଧା ଅନୁସାରେ ରାକ୍ଷୀ ପୂର୍ଣ୍ଣିମାର ଗୋଟିଏ ଦିନ ପୂର୍ବରୁ କିମ୍ବା ସେହି ଦିନ ସକାଳେ ନୂଆ ପକ୍ୱାନ ପ୍ରସ୍ତୁତ କରିପାରିବେ । ଏହି ଆଂଶିକ ଚନ୍ଦ୍ରଗ୍ରହଣ କେବଳ ୟୁରୋପ, ଆଫ୍ରିକା ଏବଂ ଆମେରିକାର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ତେଣୁ ଭାରତୀୟମାନେ ବିନା କୌଣସି ଆଶଙ୍କାରେ ଏହି ପର୍ବକୁ ସମ୍ପୂର୍ଣ୍ଣ ଉତ୍ସାହର ସହ ପାଳନ କରିପାରିବେ ।

ad-week
Leave A Reply

Your email address will not be published.