ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ବିମାନ ସେବା ପ୍ରଭାବିତ, ୧୫୦ରୁ ଅଧିକ ବିମାନ ବିଳମ୍ବ

Independence

ନୂଆଦିଲ୍ଲୀ :  ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ହନ୍ତସନ୍ତ । ଖରାପ ପାଗ ଯୋଗୁଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ସୋମବାର ଦିନ ପ୍ରଭାବିତ ହୋଇଛି । ୧୫୦ ରୁ ଅଧିକ ବିମାନ ବିଳମ୍ବର ସମ୍ମୁଖୀନ ହୋଇଛି । ସେହିପରି ୧୪ ଟି ବିମାନର ମାର୍ଗ ପରିବର୍ତ୍ତନ କରି ଅବତରଣ ଏବଂ ଉଡ଼ାଣ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସେଥିମଧ୍ୟରେ ଦୁଇଟି ଆନ୍ତର୍ଜାତୀୟ ବିମାନ ରହିଛି । ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ପାଣି ଜମିବା ଏବଂ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିବାବେଳେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଏବଂ ଅନ୍ୟ ଜିଲ୍ଲାରେ ମଧ୍ୟମ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦ ସମେତ ସମଗ୍ର ଏନସିଆରରେ ପ୍ରବଳ ବର୍ଷା ହୋଇଥିଲା । ଏନେଇ ବିଭିନ୍ନ ଏୟାରଲାଇନ୍ସ ଯାତ୍ରୀମାନଙ୍କୁ ସତର୍କ କରାଇ ପରାମର୍ଶ ଜାରି କରିଛି । ଯାତ୍ରୀମାନଙ୍କୁ ବିମାନବନ୍ଦରକୁ ଯିବା ପୂର୍ବରୁ ସେମାନଙ୍କର ବିମାନ ସ୍ଥିତି ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି । ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ସ୍ପାଇସ ଜେଟ୍ କହିଛି, ପ୍ରତିକୂଳ ପାଗ ପରିସ୍ଥିତି ଆଜି ଦିଲ୍ଲୀକୁ ଏବଂ ଦିଲ୍ଲୀରୁ ବିମାନ ଚଳାଚଳକୁ ପ୍ରଭାବିତ କରିପାରେ । ଯାତ୍ରୀମାନଙ୍କୁ ସେମାନଙ୍କର ବିମାନ ସ୍ଥିତି ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି ।

ପ୍ରବଳ ବର୍ଷା ଯୋଗୁଁ ଅଶୋକ ନଗର ମେଟ୍ରୋ ଷ୍ଟେସନ, ବୁରାଡି, ସିଆର ପାର୍କ ଏବଂ ଅଳକାନନ୍ଦ ଭଳି ଅଞ୍ଚଳରେ ପାଣି ଭରି ରହିଛି । ଅନେକ ସ୍ଥାନରେ ରାସ୍ତାରେ ପାଣି ଯୋଗୁଁ ଲମ୍ବା ଟ୍ରାଫିକ ଜାମ୍ ରହିଛି । ଦକ୍ଷିଣ ପୂର୍ବ ଦିଲ୍ଲୀ, ପୂର୍ବ ଦିଲ୍ଲୀ, ଶାହଦରା, ମଧ୍ୟ ଦିଲ୍ଲୀ, ଉତ୍ତର ପୂର୍ବ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ନୂଆଦିଲ୍ଲୀ, ଦକ୍ଷିଣ ପଶ୍ଚିମ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଉତ୍ତର ପଶ୍ଚିମ ଦିଲ୍ଲୀ ଏବଂ ଉତ୍ତର ଦିଲ୍ଲୀ ସମେତ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା,ବିଜୁଳି ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ad-week
Leave A Reply

Your email address will not be published.