ଛୋଟ ସ୍ୱେଚ୍ଛାସେବୀ ଦଳ ସହ ବନ୍ୟାକ୍ଷତିଗ୍ରସ୍ତ ଗିରୋଙ୍ଗ୍‌ ଯିବାକୁ ସଦ୍‌ଗୁରୁଙ୍କ ଆବେଦନ

Independence

ନୂଆଦିଲ୍ଲୀ: ନେପାଳ-ତିବ୍ଦତ ସୀମାବର୍ତ୍ତୀ ଅଞ୍ଚଳରେ ଭୟଙ୍କର ଆକସ୍ମିକ ବନ୍ୟା ପରେ ତିବ୍ଦତର ଗିରୋଙ୍ଗ୍‌ ସହରରେ ନିଖୋଜ ହୋଇଥିବା ୮୦ ଜଣ କୈଳାସ ତୀର୍ଥଯାତ୍ରୀଙ୍କ ସନ୍ଧାନ ପାଇଁ ସଦ୍‌ଗୁରୁ ଜଗ୍ଗୀ ବାସୁଦେବ ଚୀନ୍‌ କର୍ତ୍ତୃପକ୍ଷଙ୍କୁ ଆବେଦନ କରିଛନ୍ତି। ଗୁରୁବାର ସେ କହିଛନ୍ତି ଯେ, ତାଙ୍କ ସଂସ୍ଥାର ୮୦ ଜଣ ଲୋକ ନିଖୋଜ ହୋଇଛନ୍ତି। ସେମାନଙ୍କୁ ଖୋଜିବା ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ତାଙ୍କୁ ଏକ ଛୋଟ ସ୍ୱେଚ୍ଛାସେବୀ ଦଳ ସହ ଗିରୋଙ୍ଗ୍‌କୁ ଯିବାକୁ ଅନୁମତି ଦିଆଯାଉ।
ଇଶା ଫାଉଣ୍ଡେସନ୍‌ର ସ୍ଥାପକ ସଦ୍‌ଗୁରୁଙ୍କ କହିବା ଅନୁସାରେ, ନିଖୋଜଙ୍କ ମଧ୍ୟରୁ ୭୭ ଜଣ ଏକ କୈଳାସ ତୀର୍ଥଯାତ୍ରୀ ଦଳର ସଦସ୍ୟ ଥିଲେ। ସେମାନେ ତୀର୍ଥଯାତ୍ରା ସାରି ଫେରୁଥିବାବେଳେ ଗିରୋଙ୍ଗ୍‌ର ଏକ ଇମିଗ୍ରେସନ୍‌ କେନ୍ଦ୍ରରେ ଅଟକିଥିଲେ। ସେହି ସମୟରେ ହଠାତ୍‌ ବନ୍ୟାଜଳ ଉକ୍ତ ଭବନ ଓ ସହରର ଏକ ବଡ଼ ଅଂଶକୁ ଧୋଇ ନେଇଥିଲା। ବୁଧବାର ଘଟିଥିବା ଏହି ବିପର୍ଯ୍ୟୟ ପରେ ନିଖୋଜ ତୀର୍ଥଯାତ୍ରୀଙ୍କ ସମ୍ପର୍କରେ କୌଣସି ନିର୍ଭରଯୋଗ୍ୟ ସୂଚନା ମିଳିନାହିଁ ବୋଲି ସଦ୍‌ଗୁରୁ କହିଛନ୍ତି।
ଇମିଗ୍ରେସନ୍‌ କାର୍ଯ୍ୟାଳୟରେ ଥିବା ଲୋକମାନଙ୍କ ଅବସ୍ଥିତି ସମ୍ପର୍କରେ ମଧ୍ୟ କୌଣସି ସରକାରୀ ଖବର ମିଳିନଥିବା ସେ ଜଣାଇଛନ୍ତି। ଦୁର୍ଘଟଣା ପୂର୍ବରୁ ତାଙ୍କ ସଂସ୍ଥାର ସମନ୍ୱୟକାରୀମାନେ ଦଳର ନେତାଙ୍କ ସହ କଥା ହୋଇଥିଲେ। ବନ୍ୟା ଆସିବାର ମାତ୍ର ୧୦ ମିନିଟ୍‌ ପୂର୍ବରୁ ଯୋଗାଯୋଗ ହୋଇଥିଲେ ମଧ୍ୟ କୌଣସି ବିପଦର ସତର୍କ ସୂଚନା ମିଳିନଥିଲା। ଚୀନ୍‌ କର୍ତ୍ତୃପକ୍ଷ ଅନୁମତି ଦେଲେ ସେମାନେ ଯେକୌଣସି ବିପଦ ସତ୍ତ୍ୱେ ନିଖୋଜ ଲୋକଙ୍କ ସନ୍ଧାନ ଓ ସହାୟତା ପାଇଁ ଗିରୋଙ୍ଗ୍‌ରେ ପହଞ୍ଚିବେ ବୋଲି ସଦ୍‌ଗୁରୁ କହିଛନ୍ତି।

ad-week
Leave A Reply

Your email address will not be published.