
ନୂଆଦିଲ୍ଲୀ : ଜାପାନର ଆଇଚି-ନୋଗୋୟାରେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଏସୀୟ କ୍ରୀଡ଼ା ଖେଳାଯିବ। ଏଥିରେ ଟ୍ବେଣ୍ଟି୨୦ କ୍ରିକେଟ ସ୍ଥାନ ପାଇଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ ଟ୍ବେଣ୍ଟି୨୦ କ୍ରିକେଟ ଖେଳାଯିବ। ପ୍ରତିଯୋଗିତା ଆରମ୍ଭର ଦୁଇ ଦିନ ପୂର୍ବରୁ ମହିଳା କ୍ରିକେଟ ଖେଳାଯିବ। ଭାରତୀୟ ପୁରୁଷ ଓ ମହିଳା ଦଳ ସିଧାସଳଖ କ୍ବାର୍ଟରଫାଇନାଲ ଖେଳିବେ। ଭାରତୀୟ ମହିଳା ଦଳ ସେପ୍ଟେମ୍ବର ୧୭ରୁ ଅଭିଯାନ ଆରମ୍ଭ କରିବ। ହରମନପ୍ରୀତ କୌରଙ୍କ ନେତୃତ୍ବାଧିନ ଭାରତୀୟ ମହିଳା ଦଳ ସେପ୍ଟେମ୍ବର ୧୭ରେ କ୍ବାର୍ଟରଫାଇନାଲ ଜାପାନ ସହ ଖେଳିବ। ଅନ୍ୟ କ୍ବାର୍ଟରରେ ବାଂଲାଦେଶ-ଚୀନକୁ, ମାଲେସିଆ-ଶ୍ରୀଲଙ୍କାକୁ ଓ ପାକିସ୍ତାନ-ଥାଇଲାଣ୍ଡକୁ ଭେଟିବ। ସେପ୍ଟେମ୍ବର ୨୦ରେ ସେମିଫାଇନାଲ, ୨୨ରେ ତୃତୀୟ ସ୍ଥାନ ଓ ଫାଇନାଲ ଖେଳାଯିବ। ପୁରୁଷ ବିଭାଗ ପ୍ରାରମ୍ଭିକ ଗ୍ରୁପ ଲିଗ୍ ମ୍ୟାଚ ସେପ୍ଟେମ୍ବର ୨୪ରୁ ଖେଳାଯିବ। ପ୍ରାରମ୍ଭିକ ଲିଗ୍ରେ ମୋଟ୍ ୬ଟି ଦଳ ଖେଳିବେ। ଗ୍ରୁପ୍ ‘ଏ’ରେ ଆଫ୍ଗାନିସ୍ତାନ, ଜାପାନ ଓ ନେପାଳ ରହିଥିବା ବେଳେ ଗ୍ରୁପ୍ ‘ବି’ରେ ହଂକଂ, ମାଲେସିଆ ଓ ଓମାନ୍ ରହିଛନ୍ତି। ଦୁଇଟି ଗ୍ରୁପ୍ରୁ ୪ଟି ଦଳ କ୍ବାର୍ଟରଫାଇନାଲକୁ ଉନ୍ନୀତ ହେବେ। ଭାରତ, ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ସିଧା କ୍ବାର୍ଟରଫାଇନାଲ ଖେଳିବେ। ଶ୍ରେୟସ ଆୟରଙ୍କ ନେତୃତ୍ବାଧିନ ଭାରତ ସେପ୍ଟେମ୍ବର ୨୮ରେ କ୍ବାର୍ଟରଫାଇନାଲ ଖେଳିବ। ସେପ୍ଟେମ୍ବର ୨୮ ଓ ୨୯ରେ କ୍ବାର୍ଟରଫାଇନାଲ, ଅକ୍ଟୋବର ୧ରେ ସେମିଫାଇନାଲ, ୩ରେ କାଂସ୍ୟ ପଦକ ଓ ଫାଇନାଲ ଖେଳାଯିବ।
