
କୋରାପୁଟ : କୋରାପୁଟ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ପକ୍ଷରୁ ଯୌତୁକ ନିଷେଧ ଆଇନ, ୧୯୬୧ ଉପରେ ଏକଦିନିଆ ଜିଲ୍ଲାସ୍ତରୀୟ ତାଲିମ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯୌତୁକ ପ୍ରଥାର ନିରାକରଣ, ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନତା ଓ ମହିଳାଙ୍କ ଅଧିକାର ସୁରକ୍ଷା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର, ଡିଏସ୍ପି ପୁଷ୍ପାଞଳି ନିଂଗି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, PO-cum-PO, DHEW କର୍ମଚାରୀ, ସମୁଦାୟ ନେତୃବୃନ୍ଦ, ଏନ୍ଜିଓ ପ୍ରତିନିଧି, ଅଙ୍ଗନୱାଡ଼ି କର୍ମୀ, କିଶୋରୀ, ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
ପ୍ରଶିକ୍ଷଣରେ ଯୌତୁକ ନିଷେଧ ଆଇନ, ୧୯୬୧ର ବିଭିନ୍ନ ବ୍ୟବସ୍ଥା, ଯୌତୁକ ପ୍ରଥାର କୁପ୍ରଭାବ ଏବଂ ଏହାର ପ୍ରତିରୋଧରେ ବିଭିନ୍ନ ହିତଧାରୀଙ୍କ ଭୂମିକା ଉପରେ ସଚେତନ କରାଯାଇଥିଲା । ସମୁଦାୟ, ଶିକ୍ଷାନୁଷ୍ଠାନ, ଏନ୍ଜିଓ ଓ ତୃଣମୂଳସ୍ତରର କର୍ମଚାରୀମାନେ ଯୌତୁକ ପ୍ରଥା ବିରୋଧରେ ଜନସଚେତନତା ସୃଷ୍ଟି କରିବା ସହ ଆଇନର ସଠିକ୍ ପ୍ରୟୋଗରେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଥିଲା।
ସରକାରି କର୍ମଚାରୀ, ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯାଇ ଯୌତୁକମୁକ୍ତ ସମାଜ ଗଠନରେ ଯୁବପିଢ଼ି ଅଗ୍ରଣୀ ଭୂମିକା ନେବାକୁ ପରାମର୍ଶ ଦିଆଯାଇଥିଲା । ଶେଷରେ ଯୌତୁକ ପ୍ରଥାର ପ୍ରତିରୋଧ ଓ ମହିଳାଙ୍କ ସମ୍ମାନ, ମର୍ଯ୍ୟାଦା ଓ ସୁରକ୍ଷା ପାଇଁ ସାମୂହିକ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଦିଆଯାଇଥିଲା।
