
ବ୍ରହ୍ମପୁର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବ୍ରହ୍ମପୁର ସହରର ଜଣେ ସଚ୍ଚୋଟ ରାଜନେତା ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ବିନାୟକ ଆଚାର୍ଯ୍ୟଙ୍କ ପ୍ରତି ଆଜି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଦେଖାଯାଇଥିବା ଅବହେଳାକୁ ସାଂସ୍କୃତିକ ଅନୁଷ୍ଠାନ ‘ପୂଜ୍ୟ ପୂଜା ସମିତି’ ଦୃଢ଼ ନିନ୍ଦା କରିଛି।
ସ୍ୱର୍ଗତ ବିନାୟକ ଆଚାର୍ଯ୍ୟଙ୍କ ଜୟନ୍ତୀ ଅବସରରେ ଆଜି ସକାଳେ ପୂଜ୍ୟ ପୂଜା ସମିତିର କର୍ମକର୍ତ୍ତାମାନେ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ସମୟରେ ଏକ ଅତ୍ୟନ୍ତ ଅଶୋଭନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ମହାନଗର ନିଗମ ପକ୍ଷରୁ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇନଥିବା ବେଳେ, ତାଙ୍କ ସ୍ମୃତିରେ ପ୍ରତିଷ୍ଠିତ ବିଦ୍ୟାଳୟର ଫାଟକ ବନ୍ଦ କରି ଗାଡ଼ି ପାର୍କିଂ କରାଯାଇଥିଲା। ଫଳରେ ରାସ୍ତାରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।
ଏହା ସହିତ, ବିନାୟକ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ଘରୋଇ ଫାର୍ମା କମ୍ପାନୀର ବ୍ୟାନର ଲଗାଯାଇଥିବା ଘଟଣା ତାଙ୍କ ପ୍ରତି ଅସମ୍ମାନର ଏକ ଦୁଃଖଦ ଉଦାହରଣ ବୋଲି ସମିତି ପକ୍ଷରୁ କୁହାଯାଇଛି।
ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଆଦର୍ଶ ଶିକ୍ଷକ ଓ ବ୍ରହ୍ମପୁରର ବିଶିଷ୍ଟ ଜନନେତାଙ୍କ ଜୟନ୍ତୀ ଦିନରେ ତାଙ୍କ ପ୍ରତିମୂର୍ତ୍ତି ପ୍ରତି ଏଭଳି ଅବହେଳା ଓ ଅସମ୍ମାନ ଗ୍ରହଣୀୟ ନୁହେଁ। ମହାନଗର ନିଗମ ପକ୍ଷରୁ ଏଭଳି ଘଟଣାର ପୁନରାବୃତ୍ତି ନହେବା ସହିତ ମହାନ ବ୍ୟକ୍ତିତ୍ୱ ମାନଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତି ସ୍ଥଳୀର ମର୍ଯ୍ୟାଦା ରକ୍ଷା ପାଇଁ ଉଚିତ୍ ପଦକ୍ଷେପ ନେବାକୁ ପୂଜ୍ୟ ପୂଜା ସମିତି ପକ୍ଷରୁ ଅଧ୍ୟାପକ ମନୋରଞ୍ଜନ ସାହୁ,ସମାଜସେବୀ ଗୁଣନିଧି ବେହେରା,ଆଇନଜୀବି ଅବନୀ ଗୟା ପ୍ରମୁଖ ଦାବୀ କରିଛନ୍ତି l
