
ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ ଓ ନିର୍ଭୁଲ ଏବଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟି ଗୁଡିକୁ ଦୂର କରିବା ଲକ୍ଷ୍ୟରେ ରାଜ୍ୟରେ ଏକ ବିଶେଷ ପାଇଲଟ୍ ସର୍ଭେ ଅଭିଯାନ ଭୁବନେଶ୍ୱର ମହାନଗର ନିଗମରେ (ବିଏମସି) ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୩ରୁ ଭୁବନେଶ୍ବରରେ ଆରମ୍ଭ ହେବ ପାଇଲଟ୍ ସର୍ଭେ। ସେପ୍ଟେମ୍ବର ୩ରୁ ୧୧ ପର୍ଯ୍ୟନ୍ତ BMC ଅଧୀନ ୩ ନିର୍ବାଚନ ମଣ୍ଡଳୀରେ ହେବ ସର୍ଭେ।
ସର୍ଭେ କାର୍ଯ୍ୟରେ BLOଙ୍କୁ ସହଯୋଗ କରିବା ପାଇଁ ସରକାର ପକ୍ଷରୁ ଅପିଲ୍ କରାଯାଇଛି। ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରକୁ ଘର ସର୍ଭେ। ସେପ୍ଟେମ୍ବର ୩ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ବିଏମସି ଅଧୀନରେ ଥିବା ୩ଟି ବିଧାନସଭା କ୍ଷେତ୍ରରେ ଭୁବନେଶ୍ୱର-ଉତ୍ତର ବିଧାନସଭା କ୍ଷେତ୍ରର ୱାର୍ଡ ନଂ ୧୦, ଭୁବନେଶ୍ୱର ମଧ୍ୟ ବିଧାନସଭା କ୍ଷେତ୍ରର ୱାର୍ଡ ନଂ ୩୫ ଏବଂ ଭୁବନେଶ୍ୱର-ଏକାମ୍ର ବିଧାନସଭା କ୍ଷେତ୍ରର ୱାର୍ଡ ନଂ ୫୨ରେ ଘରକୁ ଘର ସର୍ଭେ କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ଘରକୁ ଘର ସର୍ଭେ କରାଯାଇ ପଞ୍ଚାୟତ ଓ ପୌରାଞ୍ଚଳର ନିର୍ବାଚନ କ୍ଷେତ୍ର ଗୁଡିକର ଭୋଟର ତାଲିକାକୁ ନିର୍ଭୁଲ ଓ ବ୍ୟବସ୍ଥିତ କରାଯିବ।
ବର୍ତ୍ତମାନ ଗୋଟିଏ ପରିବାରର ସଦସ୍ୟମାନେ ଭିନ୍ନ ଭିନ୍ନ ବୁଥ୍ରେ ସାମିଲ ଅଛନ୍ତି ତତ୍ ସହ ଅସ୍ପଷ୍ଟ ଘର ନମ୍ବର ଭଳି ଜଟିଳ ସମସ୍ୟାର ସ୍ଥାୟୀ ସମାଧାନ କରିବା ଏହି ସର୍ଭେ ର ମୁଖ୍ୟ ଉଦ୍ଦେଶ୍ୟ। ସହରାଞ୍ଚଳରେ ଥିବା ଅଧିକାଂଶ ବିଧାନସଭା ବୁଥ୍ଗୁଡ଼ିକର କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ନାହିଁ। ଫଳରେ ଗୋଟିଏ ବୁଥ୍ରେ ୧୦ରୁ ୧୨ଟି ଅଲଗା ଅଲଗା ଅଞ୍ଚଳର ଭୋଟର ସାମିଲ ହୋଇ ରହୁଛନ୍ତି। ଏପରିକି ଗୋଟିଏ ୱାର୍ଡର ଭୋଟର ଅନ୍ୟ ଏକ ୱାର୍ଡରେ ଭୋଟ ଦେବାକୁ ପଡ଼ୁଛି, ଯାହାଫଳରେ ଅନେକ ଭୋଟର ମତଦାନ କେନ୍ଦ୍ରକୁ ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।
ଏହି ସର୍ଭେ ମାଧ୍ୟମରେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଗୋଟିଏ ମତଦାନ କେନ୍ଦ୍ରରେ ଭୋଟଦାନ କରିପାରିବେ । ତାହାସହିତ ଗୋଟିଏ ୱାର୍ଡ ର ମତଦାତା ମାନଙ୍କ ନାମ ବିଭିନ୍ନ ୱାର୍ଡର ଭୋଟର ତାଲିକାରେ ରହିଥିଲେ, ଏହି ସର୍ଭେ ପରେ ସେମାନେ ଗୋଟିଏ ୱାର୍ଡ ରେ ରହିପାରିବେ ଯାହା ଫଳରେ ମତଦାତାଙ୍କ ମତଦାନ ସହଜରେ ହୋଇପାରିବ। ସହରାଞ୍ଚଳରେ ଭୋଟଦାନ ହାର କମିବାର ଏହା ଏକ ପ୍ରମୁଖ କାରଣ ହୋଇଥିବାରୁ ଏହି ନୂତନ ବ୍ୟବସ୍ଥା ଜରିଆରେ ଏହାକୁ ସୁଧାରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ ବୁଥ୍ ସ୍ତରୀୟ ଅଧିକାରୀ(ବିଏଲଓ) ଏବଂ ଅନ୍ୟ କର୍ମଚାରୀମାନଙ୍କୁ ନେଇ ହୋଇଥିବା ଟିମ୍ କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି। ଏହି ଅଭିଯାନ ଦ୍ୱାରା ରାଜ୍ୟରେ ଏକ ସ୍ୱଚ୍ଛ, ନିର୍ଭୁଲ ତଥା ବ୍ୟବସ୍ଥିତ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି।
