
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ସରକାରୀ ଚିକିତ୍ସାନୁଷ୍ଠାନ ଏମ୍କେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ରୋଗୀସେବାର ଉନ୍ନତି ଏବଂ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ଦାବି କରି ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏମ୍କେସିଜି ହସ୍ପିଟାଲ୍ ଅଧୀକ୍ଷକଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମଞ୍ଚ ପକ୍ଷରୁ ନୂତନ ଏମ୍ ଆର୍ ଆଇ ମେସିନ୍ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଟ୍ରମା କେୟାର ବିଭାଗରେ ଡିଜିଟାଲ୍ X-ray ମେସିନ୍ ସ୍ଥାପନ, ବର୍ଣ୍ଣ କେୟାର ୟୁନିଟ୍ ଖୋଲିବା ଏବଂ ହସ୍ପିଟାଲ୍ ପରିସରରେ ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ଦାବି କରାଯାଇଛି। ଏଥିସହ ପ୍ରତ୍ୟେକ ବହିଃଚିକିତ୍ସା ବିଭାଗରେ ଡାକ୍ତରଙ୍କ ଡ୍ୟୁଟି ଚାର୍ଟ ଓ ରୋଗୀ ଦେଖା ସମୟ ପ୍ରଦର୍ଶନ, ଛୁଟିଦିନରେ ଫିଜିଓଥେରାପି ସେବା ଚାଲୁ ରଖିବା,ଆଶୁ ଚିକିତ୍ସା ବିଭାଗ ସମେତ ଉଭୟ ଅନ୍ତଃ ଓ ବହିଃ ଚିକିତ୍ସା ବିଭାଗରେ ପର୍ଯ୍ୟାପ୍ତ ପାନୀୟ ଜଳ ଓ ପାଇଖାନା ଗାଧୁଆ ଘର ଓ ମେଡ଼ିକାଲ୍ ପରିସର ଆଦି ସ୍ୱଚ୍ଛତା ବ୍ୟବସ୍ଥା, ଖାଲି ପଡ଼ିଥିବା ଡାକ୍ତର, ନର୍ସ ଓ ଟେକ୍ନିସିଆନ୍ ପଦବୀ ପୂରଣ, ନିରାଶ୍ରୟ ଓ ଅସହାୟ ରୋଗୀଙ୍କ ସ୍ୱତନ୍ତ୍ର ସେବା ଓ ଯତ୍ନ ପାଇଁ ମାନବିକ ଆଶ୍ରୟ ବ୍ୟବସ୍ଥା ଏବଂ କର୍ଣ୍ଣ ନାଶା ଗଳା ବିଭାଗରେ ଆବଶ୍ୟକୀୟ ମେସିନ୍ ଓ ରୋଗୀଙ୍କୁ ଶ୍ରବଣ ଯନ୍ତ୍ର ଉପଲବ୍ଧ କରାଇବାକୁ ମଞ୍ଚ ଦାବି କରି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆଜି ଦୀର୍ଘ ସମୟ ଧରି ଧାରଣା ଦେଇଛି l
ଏମ୍କେସିଜି ଉପରେ ଦକ୍ଷିଣ ଓଡ଼ିଶାର ବହୁ ଜିଲ୍ଲାର ଲକ୍ଷାଧିକ ଲୋକ ନିର୍ଭର କରୁଥିବାରୁ ରୋଗୀସେବାରେ କୌଣସି ଅବହେଳା ନକରି ଉପରୋକ୍ତ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ଼ ଦାବି କରିଛି। ଆଜି ବିକ୍ଷୋଭରେ ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା,ସମ୍ପାଦକ ଆର୍. ସତ୍ୟ ନାରାୟନ ରାଓ, ଗୁଣନିଧି ବେହେରା,ବିଜୟ କୁମାର ପାଢୀ,ସମାଜସେବୀ ଗଗନ ଚାନ୍ଦ ପ୍ରଧାନ, ଯୁବନେତା ମନୋଜ କୁମାର ତରାଇ,ପ୍ରଶାନ୍ତ କୁମାର ପଣ୍ଡା, ସିପିଆଇ ଏମ୍ ଏଲ୍ ରେଡଷ୍ଟାର ର ଜିଲ୍ଲା ସମ୍ପାଦକ ପେଦିନି ପାର୍ବତୀ ,ଆପ୍ ର ନେତା ଆଦିତ୍ୟ ନାରାୟଣ ରଥ, ପୂଜ୍ୟ ପୂଜା ସମିତିର ଏସ.ସାମ୍ବସିବା ରାଓ,ସୁରେନ୍ଦ୍ର ନାଥ ପଣ୍ଡା, ଶିକ୍ଷକ ସଙ୍ଗଠନ ନେତା ଶ୍ୟାମ ସୁନ୍ଦର ଖାଡଙ୍ଗା, ଅଶୋକ କୁମାର ଦଳାଇ,ହୃଷୀକେଶ ପାତ୍ର, ବିରେନ କୁମାର ବେହେରା ପ୍ରମୁଖ ମେଡ଼ିକାଲ୍ ଅଧୀକ୍ଷକ ଡା.ସୁଚିତ୍ରା ଦାଶ ଙ୍କ ସହ ସମସ୍ତ ସମସ୍ୟାକୁ ନେଇ ଦୀର୍ଘ ଆଲୋଚନା କରିଥିଲେ l ଅଧୀକ୍ଷକ ଡା.ଦାଶ ରାଜ୍ଯ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦୁଇମାସ ମଧ୍ୟରେ ନିଜ କ୍ଷମତା ଅଧିନସ୍ଥ ସମସ୍ୟା ଗୁଡ଼ିକ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି l
