ଶିଶୁ ଯତ୍ନ ଓ ପରିବାରରୁ ବିଚ୍ଛିନ୍ନତା ନିବାରଣ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ

Independence

କୋରାପୁଟ : ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ୟୁନିସେଫ୍‌ (UNICEF)ର ମିଳିତ ଆନୁକୂଲ୍ୟରେ କୋରାପୁଟସ୍ଥିତ ସଦ୍‌ଭାବନା ଗୃହଠାରେ ‘ଶିଶୁ ଯତ୍ନ ଓ ପରିବାରରୁ ବିଚ୍ଛିନ୍ନତା ନିବାରଣ’ ଶୀର୍ଷକ ଏକ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଯୋଗଦେଇ କହିଥିଲେ ଯେ, ପ୍ରତ୍ୟେକ ଶିଶୁ ପାଇଁ ପରିବାର ଓ ସ୍ନେହପୂର୍ଣ୍ଣ ପରିବେଶ ଅତ୍ୟନ୍ତ ଜରୁରୀ। ଗ୍ରାମ୍ୟସ୍ତରୀୟ କମିଟି ଜରିଆରେ ବିପଦସଙ୍କୁଳ ଅବସ୍ଥାରେ ଥିବା ପରିବାରଗୁଡ଼ିକୁ ଚିହ୍ନଟ କରି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ସେମାନଙ୍କ ଥଇଥାନ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ୍ ମହାଜନ (ଭା.ପ୍ର.ସେ) ଯୋଗଦେଇ ମତ ରଖିଥିଲେ ଯେ, ପରିବାରରୁ ଶିଶୁମାନେ ବିଚ୍ଛିନ୍ନ ହେବାର ମୂଳ କାରଣ ଚିହ୍ନଟ କରି ତାର ଉପଯୁକ୍ତ ପ୍ରତିକାର କରିବା ଆବଶ୍ୟକ। ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ବିପଦସଙ୍କୁଳ ଶିଶୁ ତଥା ସେମାନଙ୍କ ପରିବାରର ଥଇଥାନ ଦିଗରେ କାର୍ଯ୍ୟ କରିବା ଉଚିତ।

ୟୁନିସେଫ୍‌ର ଶିଶୁ ସୁରକ୍ଷା ପରାମର୍ଶଦାତା ଘାସିରାମ ପଣ୍ଡା ଏବଂ ଅଙ୍କିତ କେଶରୀ ଶିଶୁ ସୁରକ୍ଷା ଓ ପରିବାରଭିତ୍ତିକ ଯତ୍ନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି କର୍ମଶାଳାରେ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶିଶୁ କଲ୍ୟାଣ କମିଟି (CWC)ର ସଦସ୍ୟ ଏବଂ ବିଭିନ୍ନ ଶିଶୁ ଯତ୍ନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜ ମତାମତ ଉପସ୍ଥାପନ କରିଥିଲେ।

ପ୍ରତ୍ୟେକ ବ୍ଲକ୍ ଓ ପଞ୍ଚାୟତସ୍ତରରେ ଶିଶୁଙ୍କ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ କରି ଏକ ‘ଶିଶୁବନ୍ଧୁ ଓଡ଼ିଶା’ ଗଠନ ସହ ୨୦୩୬ ବିକଶିତ ଓଡ଼ିଶାର ଲକ୍ଷ୍ୟ ହାସଲ କରିବା ଦିଗରେ ଏହି କର୍ମଶାଳା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତପ୍ରକାଶ ପାଇଥିଲା।

ad-week
Leave A Reply

Your email address will not be published.