
କୋଲକତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଝିଆରୀ ବ୍ରିଷ୍ଟି ମୁଖାର୍ଜୀ(୨୮) ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି । ବ୍ରିଷ୍ଟି ପୂର୍ବରୁ ଭୋଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନନ୍ ଟିଚିଂ ଷ୍ଟାଫ୍ ଭାବେ କାମ କରୁଥିଲେ । ତେବେ ଟଙ୍କା ଦେଇ ଚାକିରି କିଣା ଅଭିଯୋଗରେ ପଶ୍ଚିମବଙ୍ଗ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରାୟ ୨୫,୦୦୦ ଶିକ୍ଷକ ଓ ଅଣଶିକ୍ଷକଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ, ଏହି ବରଖାସ୍ତ ତାଲିକାର ୬୦୮ ନମ୍ବର ସ୍ଥାନରେ ବ୍ରିଷ୍ଟିଙ୍କ ନାଁ ଥିଲା ।
ଚାକିରି ଚାଲିଯିବାରୁ ଏଥିରେ ମ୍ରିୟମାଣ ହୋଇ ବ୍ରିଷ୍ଟି ଆତ୍ମହତ୍ୟା କରିଦେଇଥିବା ପରିବାର ସୂତ୍ରରୁ ପ୍ରକାଶ । ମୃତା ବିଷ୍ଟିଙ୍କ ବାପା ନିହାର ମୁଖାର୍ଜୀ ହେଉଛନ୍ତି ମମତାଙ୍କ ମାମୁପୁଅ ଭାଇ ଏବଂ ସ୍ଥାନୀୟ ବୀରଭୂମ୍ ଅଂଚଳର ଜଣେ ତୃଣମୂଳ କଂଗ୍ରେସ ନେତା ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ପଶ୍ଚିମବଙ୍ଗ ଗଣଶିକ୍ଷା ବିଭାଗ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଜଲିଆତି ହୋଇଥିଲା । ଟଙ୍କା ନେଇ ଏଠାରେ ଚାକିରି ବିକ୍ରି କରାଯାଇଥିଲା । ମାମଲାର ବିଚାର କରି ହାଇକୋର୍ଟ ପ୍ରାୟ ୨୫,୦୦୦ ଶିକ୍ଷକ ଓ ଅଣଶିକ୍ଷକଙ୍କ ଚାକିରିକୁ ଅବୈଧ ଘୋଷଣା କରିଥିଲେ, ଯାହାକୁ ସୁପ୍ରିମକୋର୍ଟ ମଧ୍ୟ କାଏମ ରଖିଥିଲେ । ଚାକିରିରୁ ବହିଷ୍କୃତ ତାଲିକାରେ ବ୍ରିଷ୍ଟିଙ୍କ ନାଁ ଥିଲା । ମାନସିକ ସନ୍ତୁଳନ ହରାଇ ସେ ଏପରି କରିଥାଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି ।
