ହେଲିକପ୍ଟର ମାମଲା: ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନଙ୍କ ବିରୋଧରେ ଆବେଦନ ଖାରଜ

Independence

ଭୁବନେଶ୍ୱର : ହେଲିକପ୍ଟର ମାମଲାରେ ଖାରଜ ହେଲା ଆବେଦନ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ମାମଲା ଆବେଦନ ଖାରଜ କଲେ ଖୋର୍ଦ୍ଧା କୋର୍ଟ। ଅଭିଯୋଗରେ ଯଥେଷ୍ଟ ଆଧାର ନାହିଁ କହିଲେ ଖୋର୍ଦ୍ଧା କୋର୍ଟ। SDJMଙ୍କ ପୂର୍ବ ନିଷ୍ପତ୍ତିକୁ କାଏମ ରଖିଲେ ଜିଲ୍ଲା ଓ ଦୌରାଜଜ୍। ବହୁଚର୍ଚ୍ଚିତ ‘ହେଲିକପ୍ଟର ମାମଲା’ରେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ ରିଭିଜନ୍ ପିଟିସନ୍ କୁ ଖାରଜ କରିଦେଇଛନ୍ତି। ଅଭିଯୋଗରେ ଯଥେଷ୍ଟ ଆଧାର ନଥିବା କୋର୍ଟ କହିଛନ୍ତି।
ଶ୍ରୀଧର ଚନ୍ଦ୍ର ମହାନ୍ତିଙ୍କ ପକ୍ଷରୁ ରିଭିଜନ୍ ପିଟିସନ୍ ଦାଖଲ କରାଯାଇଥିଲା। ଆଜି ଏହାର ଶୁଣାଣି କରି କୋର୍ଟ ଆବେଦନକୁ ଖାରଜ କରିଛନ୍ତି। କୋର୍ଟଙ୍କ କହିବା ଅନୁସାରେ, ଅଭିଯୋଗକାରୀ ଯେଉଁସବୁ ଆଇନର ଧାରା ଆଧାରରେ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ, ସେଗୁଡ଼ିକୁ ପ୍ରମାଣିତ କରିବା ଭଳି ଆବଶ୍ୟକ ତଥ୍ୟ କିମ୍ବା ସାମଗ୍ରୀ ଦାଖଲ କରିପାରିନଥିଲେ। ଏହାଛଡ଼ା ମାମଲା ଦାଖଲ କରିବା ପୂର୍ବରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩ର ଧାରା ୧୭୩(୪) ଅନୁସାରେ ଯେଉଁ ଆଇନଗତ ପ୍ରକ୍ରିୟା ପାଳନ କରିବା କଥା, ତାହା ମଧ୍ୟ କରାଯାଇନଥିଲା। କୋର୍ଟ ଆଉ ଏକ ପ୍ରମୁଖ କଥା ଉଲ୍ଲେଖ କରିଛନ୍ତି।

BNSSର ଧାରା ୩୩ ଅନୁସାରେ ଏଭଳି ଅଭିଯୋଗ ଦାଖଲ କରିବା ପାଇଁ ଅଭିଯୋଗକାରୀଙ୍କ ଆଇନଗତ ଅଧିକାର ନଥିଲା ବୋଲି କୋର୍ଟ କହିଛନ୍ତି। ଏହି ମାମଲା ପ୍ରଥମେ ଭୁବନେଶ୍ୱର SDJM କୋର୍ଟରେ ICC No. 6960 of 2024 ଭାବେ ଦାଖଲ ହୋଇଥିଲା। ୨୦୨୬ ମାର୍ଚ୍ଚ ୨୫ରେ SDJM କୋର୍ଟ ଅଭିଯୋଗକୁ ଖାରଜ କରିଦେଇଥିଲେ। SDJMଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଶ୍ରୀଧର ଚନ୍ଦ୍ର ମହାନ୍ତି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ରିଭିଜନ୍ ପିଟିସନ୍ ଦାଖଲ କରିଥିଲେ। କିନ୍ତୁ ଜିଲ୍ଲା ଓ ଦୌରାଜଜ୍ SDJMଙ୍କ ଆଦେଶରେ କୌଣସି ଆଇନଗତ ତ୍ରୁଟି ଥିବା ଦେଖିବାକୁ ପାଇନାହାନ୍ତି।

ଫଳରେ SDJMଙ୍କ ମାର୍ଚ୍ଚ ୨୫ର ଆଦେଶକୁ କାଏମ ରଖି ରିଭିଜନ୍ ପିଟିସନ୍ କୁ ଖାରଜ କରାଯାଇଛି। ସରଳ ଭାବେ କହିଲେ, ଅଭିଯୋଗକୁ ଆଗକୁ ନେବା ପାଇଁ ଯଥେଷ୍ଟ ତଥ୍ୟ ଓ ଆଇନଗତ ଆଧାର ନଥିବାରୁ କୋର୍ଟ ଆବେଦନକୁ ଗ୍ରହଣ କରିନାହାନ୍ତି। ମାମଲାରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ଓ ସୀତାଂଶୁ ମୋହନ ଦ୍ୱିବେଦୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ପାଇଁ ମାମଲା ପରିଚାଳାନ କରୁଥିଲେ।

ପୂର୍ବ ସରକାର ସମୟରେ ହେଲିକପ୍ଟର ବ୍ୟବହାର ଏବଂ ଏଥିପାଇଁ ସରକାରୀ ଅର୍ଥ ଖର୍ଚ୍ଚକୁ ନେଇ ଏକ ବ୍ୟକ୍ତିଗତ ଅଭିଯୋଗରୁ ଏହି ମାମଲା ଆରମ୍ଭ ହୋଇଥିଲା। ଅଭିଯୋଗକାରୀ ଏହାକୁ ନେଇ ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରଥମେ SDJM କୋର୍ଟ ଅଭିଯୋଗକୁ ଖାରଜ କରିଥିଲେ। ଏବେ ସେହି ନିଷ୍ପତ୍ତି ବିରୋଧରେ ଦାଖଲ ରିଭିଜନ୍ ପିଟିସନ୍ କୁ ମଧ୍ୟ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ଖାରଜ କରିଛନ୍ତି।

ad-week
Leave A Reply

Your email address will not be published.