
ଅମରାବତୀ: ଆନ୍ଧ୍ରପ୍ରଦେଶର ପୋଲାଭରମ୍ ଅନ୍ତର୍ଗତ ଗୋଲ୍ଲାଗୁପ୍ପା ଗ୍ରାମରେ ମ୍ୟାଲେରିଆ ନିରୋଧକ ‘କ୍ଲୋରୋକ୍ୱିନ୍’ ବଟିକା ଖାଇବା ପରେ ଜଣେ ୭ ବର୍ଷୀୟ ସ୍କୁଲ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥମାନଙ୍କ ମଧ୍ୟରେ ୪୦ରୁ ଅଧିକ ଛୋଟ ପିଲା ରହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ପ୍ରତିଷେଧକ ଭାବେ ଗ୍ରାମବାସୀ ଓ ସ୍କୁଲ ପିଲାମାନଙ୍କୁ କ୍ଲୋରୋକ୍ୱିନ୍ ଔଷଧ ବଣ୍ଟାଯାଇଥିଲା। ଔଷଧ ସେବନର କିଛି ସମୟ ପରେ ପିଲାମାନଙ୍କଠାରେ ବାନ୍ତି, ପେଟ ବିନ୍ଧା ଓ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଦେଇଥିଲା। ୭ ବର୍ଷୀୟା ଛାତ୍ରୀ ମଡିଭି ଜମୁନାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ଅନ୍ୟ ଆକ୍ରାନ୍ତ ପିଲା ଓ ଗ୍ରାମବାସୀଙ୍କୁ ଭଦ୍ରାଚଳମ୍ ଏରିଆ ହସ୍ପିଟାଲ୍ ଏବଂ ଲକ୍ଷ୍ମୀପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅସୁସ୍ଥମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ବିଜୟୱାଡା, ରାଜମହେନ୍ଦ୍ରୀ ଓ କାକିନାଡାରୁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଘଟଣାସ୍ଥଳକୁ ପଠାଯାଇଛି। ଔଷଧର ଓଭରଡୋଜ୍ କିମ୍ବା ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ ଏପରି ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।
