
ନୂଆଦିଲ୍ଲୀ : ଦିଶା ସାଲିଆନ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ତଦନ୍ତରେ ମୁମ୍ବାଇ ପୋଲିସ ଅବହେଳା କରିଥିବା ଅଭିଯୋଗ ଆଣିଥିଲେ ଦିଶାଙ୍କ ବାପା । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ ଜଣେ ବରିଷ୍ଠ ସିବିଆଇ ଅଧିକାରୀଙ୍କୁ ତଦନ୍ତ ଭାର ଦିଆଯଇବାକୁ ମୁମ୍ୱାଇ ସିବିଆଇର ଜଏଣ୍ଟ ଡାଇରେକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ପ୍ରମାଣ ନମିଳିବା ପର୍ଯ୍ୟନ୍ତ କାହାକୁ ବି ଅଭିଯୁକ୍ତ କରାଯିବ ନାହିଁ । ମୁମ୍ବାଇ ପୋଲିସ ଏହି ମାମଲାରେ FIR ରୁଜୁ ନକରି କେବଳ ଅପମୃତ୍ୟୁ ମାମଲା ଭାବେ ଦୀର୍ଘଦିନ ଧରି ତଦନ୍ତ ଚଳାଇଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଦିଶା ସାଲିଆନଙ୍କ ପିତା ସତୀଶ ସାଲିଆନ ଦାଖଲ କରିଥିବା ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆବେଦନରେ ଦିଶାଙ୍କ ମୃତ୍ୟୁ ତଦନ୍ତରେ ମୁମ୍ବାଇ ପୋଲିସ ଅବହେଳା କରିଥିବା ଅଭିଯୋଗ କରାଯାଇଥିଲା । ଜୁନ୍ ୮ ତାରିଖ ୨୦୨୦ରେ ମାଲାଡ୍ ଅଞ୍ଚଳରେ ଏକ ଆପାର୍ଟମେଣ୍ଟର ୧୪ ମହଲାରୁ ପଡ଼ି ଦିଶାଙ୍କ ମୃତ୍ୟୁ ଘଟିଥିଲା । ଘଟଣାର କିଛି ଦିନ ପରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୁମ୍ବାଇ ପୋଲିସର ପ୍ରାରମ୍ଭିକ ତଦନ୍ତରେ ଅନେକ ତ୍ରୁଟି ଥିବା ଦର୍ଶାଇ ଦିଶାଙ୍କ ପିତା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ପରିବାରକୁ ପୋଷ୍ଟମର୍ଟମ କିମ୍ବା ପୋଲିସ ରିପୋର୍ଟର କପି ଦିଆଯାଇନଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଘଟଣାସ୍ଥଳର ସିସିଟିଭି କଭରେଜ୍ ନଥାଇବା, ଏକ ବନ୍ଦ କବାଟକୁ ନେଇ ଦ୍ୱନ୍ଦ୍ୱ ଏବଂ ନିୟମ ଅନୁଯାୟୀ ଦୁଇ ଜଣଙ୍କ ବଦଳରେ ମାତ୍ର ଜଣେ ଡାକ୍ତରଙ୍କ ଦ୍ୱାରା ପୋଷ୍ଟମର୍ଟମ କରାଯିବା ଭଳି ଗୁରୁତର ତ୍ରୁଟିକୁ କୋର୍ଟ ଚିହ୍ନଟ କରିଛନ୍ତି ।
