
ନୟାଗଡ଼ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ କ୍ୟାମ୍ପସ ଶାଖା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା, ପରିଚାଳନା କମିଟି ଗଠନ, ଛାତ୍ର ସଂସଦ ନିର୍ବାଚନ, ମହାବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜକିଶୋର ସାହୁଙ୍କୁ ପ୍ରଦାନ କରାଯାଇଛି। ୨୦୨୪ ମସିହାରୁ ମହାବିଦ୍ୟାଳୟ ଗୁଡିକରୁ ପରିଚାଳନା କମିଟିକୁ ସରକାର ରଦ୍ଦ କରିଥିବା ବେଳେ ନୂତନ ପରିଚାଳନା କମିଟି ଗଠନ ହୋଇପାରିନାହିଁ ।ଅନେକ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ହୋଇନଥିବାରୁ ମହାବିଦ୍ୟାଳୟ ଗୁଡିକର ବିକାଶ ପ୍ରକ୍ରିୟାରେ ଛାତ୍ରଛାତ୍ରୀ ମାନଙ୍କର ଅଂଶଗ୍ରହଣ ଆଦୌ ରହୁନାହିଁ ।ନୂତନ ପରିଚାଳନା କମିଟି ଗଠନ, ଛାତ୍ର ସଂସଦ ନିର୍ବାଚନ ଏହି ଦୁଇଟି ପ୍ରମୁଖ ଦାବି ସହିତ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା, ସୁବିଧା ଓ ସୁରକ୍ଷିତ ପରିବେଶକୁ ଗୁରୁତ୍ଵ ଦେଇ ଅନ୍ୟାନ୍ୟ ଦାବି ଗୁଡ଼ିକ ମଧ୍ୟ ଦାବିପତ୍ରରେ ସ୍ଥାନ ପାଇଛି । ତେଣୁ ସରକାର ଓ ସଂପୃକ୍ତ କତୃପକ୍ଷ ଛାତ୍ରଛାତ୍ରୀ ମାନଙ୍କ ଏହି ନ୍ୟାୟସଙ୍ଗତ ଦାବି ଗୁଡ଼ିକୁ ଗୁରୁତର ସହିତ ବିଚାର କରି ଯଥାଶୀଘ୍ର ପଦକ୍ଷେପ ନେବାକୁ ଏବିଭିପି ପକ୍ଷରୁ ଦାବି କରାଯାଇଛି । କ୍ୟାମ୍ପସ ଶାଖା ସଭାପତି ଶୁଭମ୍ ପ୍ରଧାନ, ଓଡ଼ଗାଁ ବ୍ଲକ ସଂଯୋଜକ ଦେବବ୍ରତ ମହାପାତ୍ର, ପ୍ରତ୍ୟୁଷ କୁମାର ସାହୁ, ସୁନୀଲ ଖିଲାର, ଦୀପ୍ତି ରଞ୍ଜନ ପରିଡ଼ା, ରାଜେଶ କୁମାର ସାହୁ, ଶ୍ରୀଧର ସାହୁ, ଶୁଭଙ୍କର ଭୋଳ, ଚନ୍ଦ୍ରକାନ୍ତ ମହାରଣା, ଲକ୍ଷ୍ମୀଧର ଖିଲାର, ସତ୍ୟ ନାଏକଙ୍କ ସମେତ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଏବିଭିପିର କାର୍ଯ୍ୟକର୍ତ୍ତା ରଘୁନାଥ ସମବାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ସାହୁଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ତଥା କ୍ୟାମ୍ପସରେ ଶିକ୍ଷାନୁକୁଳ ବାତାବରଣ ସୃଷ୍ଟି ପାଇଁ ଆଗାମୀ ଦିନରେ ଗଣତାନ୍ତ୍ରିକ ପଦ୍ଧତିରେ ଏବିଭିପି ରଘୁନାଥ ସମବାୟ ମହାବିଦ୍ୟାଳୟ କ୍ୟାମ୍ପସ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି ।
