କୋରାପୁଟ ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ (SIR-2026) ସମୀକ୍ଷା: ସମୟସୀମା ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

କୋରାପୁଟ : କୋରାପୁଟ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ତୀବ୍ର ଭୋଟର ତାଲିକା ସଂଶୋଧନ (Special Intensive Revision – SIR-2026) କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଗୁରୁବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ନିର୍ବାଚନ ଆୟୋଗର ପ୍ରଧାନ ସଚିବ ଏସ୍. ବି. ଯୋଶୀ ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ।
ଏହି ବୈଠକରେ ଭାରତ ନିର୍ବାଚନ ଆୟୋଗର ଅଣ୍ଡର ସେକ୍ରେଟାରୀ ବିଭୋର ଅଗ୍ରୱାଲ, ରାଜ୍ୟ ଗୃହ (ନିର୍ବାଚନ) ବିଭାଗର ଉପସଚିବ ଜିତେନ୍ଦ୍ର ପାତ୍ର ଏବଂ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଉପସ୍ଥିତ ଥିଲେ। ଜିଲ୍ଲାପାଳ ପ୍ରାରମ୍ଭରେ ଗସ୍ତରତ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାର ନିର୍ବାଚନୀ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।
ଆଗାମୀ ସେପ୍ଟେମ୍ବର ୨୧ ତାରିଖରେ ଚୂଡ଼ାନ୍ତ ଖସଡ଼ା ପ୍ରକାଶନ (Final Draft Publication) ହେବାକୁ ଥିବାରୁ ତାହା ପୂର୍ବରୁ ସମସ୍ତ ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଓ ସମୟବଦ୍ଧ ଭାବେ ଶେଷ କରିବା ଉପରେ ପ୍ରଧାନ ସଚିବ ଗୁରୁତ୍ୱାରୋପ କରିଥିଲେ। ସେ ପ୍ରତ୍ୟେକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)ଙ୍କ ସହ ପୃଥକ ଭାବେ ଆଲୋଚନା କରି କ୍ଷେତ୍ରସ୍ତରର ସମସ୍ୟା ଓ ଆହ୍ୱାନ ସମ୍ପର୍କରେ ପଚାରି ବୁଝିଥିଲେ।
ଏଥିସହ ନିର୍ବାଚନ ସାକ୍ଷରତା କ୍ଲବ୍ (ELC)କୁ ଅଧିକ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଯୁବ, ଛାତ୍ରଛାତ୍ରୀ ଏବଂ ପ୍ରଥମ ଥର ମତଦାନ କରିବାକୁ ଥିବା ନୂତନ ଭୋଟରଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।
ଉପସ୍ଥିତ ଅଧିକାରୀ:
- ନରେଶ ଚନ୍ଦ୍ର ସବର, ଅତିରିକ୍ତ ଜିଲ୍ଲାପାଳ-ତଥା-ERO, କୋଟପାଡ଼ (ଅଜଜ)
- ତପନ କୁମାର ନାଏକ, ଅତିରିକ୍ତ ଜିଲ୍ଲାପାଳ-ତଥା-ERO, ଲକ୍ଷ୍ମୀପୁର (ଅଜଜ)
- ପ୍ରେମଲାଲ ହିଆଲ, ଉପଜିଲ୍ଲାପାଳ-ତଥା-ERO, କୋରାପୁଟ (ଅଜ)
- ଯଦୁମଣି ନାଏକ, ଉପଜିଲ୍ଲାପାଳ, ଜୟପୁର-ତଥା-ERO, ଜୟପୁର
- ଶରତ ମାଝୀ, ଅତିରିକ୍ତ ଉପଜିଲ୍ଲାପାଳ-ତଥା-ERO, ପଟ୍ଟାଙ୍ଗୀ (ଅଜଜ)
- ମଙ୍ଗଳ ଚରଣ ବାସ୍କେ, ଡେପୁଟି କଲେକ୍ଟର (ନିର୍ବାଚନ), କୋରାପୁଟ
