
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ରିୱା-ସିଧି ଜାତୀୟ ରାଜପଥ-୩୯ର ବଦବାର ଷ୍ଟାଣ୍ଡ ନିକଟରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଗଭୀର ଶୋକ ପ୍ରକାଶ କରିଛନ୍ତି । ଘଟଣାକୁ ସେ ଅତ୍ୟନ୍ତ ହୃଦୟବିଦାରକ ବୋଲି କହିବା ସହ ମୃତକଙ୍କ ଆତ୍ମାର ଶାନ୍ତି ଓ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।
ଖବର ମୁତାବକ, ରିୱା-ସିଧି ଜାତୀୟ ରାଜପଥ-୩୯ର ବଦବାର ଷ୍ଟାଣ୍ଡ ନିକଟରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ବସ୍ ଓ ଟ୍ରକ ମଧ୍ୟରେ ଧକ୍କା ଏତେ ଭୟଙ୍କର ଥିଲା ଯେ, ବସ୍ଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା ।
ଦୁର୍ଘଟଣାର ଖବର ପାଇବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଗୁଢ଼ ଥାନା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ, ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ଭିତରେ ଫସିଥିବା ଯାତ୍ରୀମାନଙ୍କୁ ବାହାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣା ପରେ NH-୩୯ରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପୋଲିସ ଓ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ପରେ କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇ ଯାତାୟାତ ସ୍ୱାଭାବିକ କରାଯାଇଥିଲା ।
ରିୱା ହୁଜୁର SDM ଅନୁରାଗ ତିୱାରୀଙ୍କ ସୂଚନା ଅନୁସାରେ, ବସରେ ମୋଟ ୪୩ ଜଣ ଯାତ୍ରୀ ଥିଲେ । ପ୍ରାରମ୍ଭରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଓ ୭ ଜଣ ଗୁରୁତର ଆହତ ହୋଇଥିବା କୁହାଯାଇଥିଲା । ପରେ ଗୁରୁତର ଆହତ ଦୁଇ ଜଣଙ୍କ ମୃତ୍ୟୁ ହେବାରୁ ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଛି ।
