
ରାଉରକେଲା: ରାଉରକେଲାରେ ପୁଣି ଲଜ୍ଜା । ରାଉରକେଲା ରେଳ ଷ୍ଟେସନ ପରିସରରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । କନଫର୍ମ ଟିକେଟ୍ ବାହାନାରେ ଯୁବତୀଙ୍କୁ ଭାଲ୍ ଭ ରୁମ୍ ରେ ଦୁଷ୍କର୍ମ । ରେଳ କର୍ମଚାରୀ ଗିରଫ । ଜଣେ ୫୪ ବର୍ଷୀୟ ରେଳ କର୍ମଚାରୀ ଷ୍ଟେସନର ଏକ ଭାଲ୍ ଭ ରୁମ୍ ଭିତରେ ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ରାଉରକେଲା ସରକାରୀ ରେଳବାଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ନୂଆପଡ଼ା ଜିଲ୍ଲାର ୨୦ ବର୍ଷୀୟା ଯୁବତୀ ଜଣକ ବେଙ୍ଗାଲୁରୁ ଯିବା ଲାଗି ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିଥିଲେ । ତାଙ୍କ ପାଖରେ କୌଣସି କନଫର୍ମ ଟିକେଟ୍ ନ ଥିବାରୁ ସେ ଷ୍ଟେସନ ପରିସରରେ ଅପେକ୍ଷା କରି ରହିଥିଲେ । ଷ୍ଟେସନରେ ରେଳବାଇର IOW (Inspector of Works) ବିଭାଗରେ ‘ଭାଲ୍ ଭ ମ୍ୟାନ୍’ ଭାବେ କାର୍ଯ୍ୟରତ ୫୪ ବର୍ଷୀୟ କପିଳେଶ୍ୱର ସିଂହ ସହିତ ଯୁବତୀଙ୍କର ଭେଟ ହୋଇଥିଲା । କପିଳେଶ୍ୱର ଯୁବତୀଙ୍କୁ ଟ୍ରେନ୍ ଟିକେଟ୍ କନ୍ଫର୍ମ କରାଇଦେବାର ପ୍ରତିଶ୍ରୁତି ଦେଇଥିଲା । ସାହାଯ୍ୟ କରିବା ବାହାନାରେ ଅଭିଯୁକ୍ତ କପିଳେଶ୍ୱର ଯୁବତୀଙ୍କୁ ୧ ନମ୍ବର ପ୍ଲାଟଫର୍ମର ପାର୍ଶ୍ୱରେ ଥିବା ଅଫିସର୍ସ ରେଷ୍ଟ ହାଉସ୍ ନିକଟସ୍ଥ ଭାଲ୍ ଭ ରୁମ୍ କୁ ଡାକି ନେଇଥିଲା । ସେଠାରେ ନିଛାଟିଆ ପରିବେଶର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଯୁବତୀଙ୍କ ସହ ଜୋରଜବରଦସ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ପୀଡ଼ିତା ସିଧାସଳଖ ରାଉରକେଲା GRP ଥାନାରେ ପହଞ୍ଚି ନିଜ ସହ ଘଟିଥିବା ଅପରାଧ ସମ୍ପର୍କରେ ଏତଲା ଦେଇଥିଲେ । ଅଭିଯୋଗ ପାଇବା ମାତ୍ରେ ପୋଲିସ ଟିମ୍ ପୀଡ଼ିତାଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳକୁ ଯାଇଥିଲେ ଏବଂ ଯୁବତୀ ଜଣକ ଉକ୍ତ ଭାଲ୍ ଭ ରୁମ୍ ଟିକୁ ଚିହ୍ନଟ କରିଥିଲେ ।
ରେଳବାଇର SSE/Works ବିଭାଗ ସହିତ ଯୋଗାଯୋଗ କରି ଡ୍ୟୁଟି ରୋଷ୍ଟର ଯାଞ୍ଚ କରିବା ପରେ କପିଳେଶ୍ୱର ସିଂହର ସମ୍ପୃକ୍ତି ସ୍ପଷ୍ଟ ହୋଇଥିଲା । ପୀଡ଼ିତା ତୁରନ୍ତ ତାଙ୍କୁ ଦେଖି ଚିହ୍ନଟ କରିଥିଲେ । ରାଉରକେଲା ସରକାରୀ ଡାକ୍ତରଖାନା (RGH)ରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି । GRP ପକ୍ଷରୁ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କପିଳେଶ୍ୱର ସିଂହଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଥିସହ ରେଳ ପ୍ରଶାସନ ପକ୍ଷରୁ ମଧ୍ୟ ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ କଠୋର ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
