
କେନ୍ଦ୍ରାପଡ଼ା: ସ୍କୁଲ ଭିତରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ସହ ଅସଦାଚରଣ । କେନ୍ଦ୍ରାପଡ଼ା ସଦର ଥାନା କଂସାର-ସାହସପୁର ନୋଡାଲ ହାଇସ୍କୁଲରୁ ଆସିଛି ଏପରି ଅଭିଯୋଗ । ଏନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ସମସ୍ତ ଶିକ୍ଷକ ସଂଘ ସଦର ଥାନାରେ ଅଭିଯୋଗ କରିଛନ୍ତି । ଜିଲ୍ଲା ଶିକ୍ଷାଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ଦେଇଛନ୍ତି । ଯଦି ନ୍ୟାୟ ନମିଳେ ତେବେ ଆସନ୍ତା ୭ ତାରିଖଠାରୁ ପାଠପଢା ବନ୍ଦ କରି ସ୍କୁଲ ସମୁଖରେ ଧାରଣାରେ ବସିବାକୁ ଚେତାବନୀ ଦେଇଛି ଶିକ୍ଷକ ସଂଘ।
ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତିଲତା ମହାରଣା ବୁଧବାର ଦିନ ମଧ୍ୟାହ୍ନ ଭୋଜନ ତଦାରଖ କରି ତାଙ୍କ କାର୍ଯ୍ୟାଳୟକୁ ଫେରୁଥିବା ବେଳେ କାଙ୍କଦିଆ ଗାଁର ରଞ୍ଜନ ମହାପାତ୍ର ସ୍କୁଲ ଭିତରେ ପଶି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପ୍ରତିବାଦ କରିବାରୁ ବିଧା, ଗୋଇଠା ମାରିଥିବା ଅଭିଯୋଗ କରିଛନ୍ତି ଭକ୍ତିଲତା । ତେବେ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ପହଞ୍ଚିବାରୁ ସେ ବାଇକ୍ ଛାଡ଼ି ଦୌଡ଼ି ପଳାଇଥିଲା । ସ୍କୁଲ କମିଟି ଗଢ଼ା ହେବା ସମୟରେ ମଧ୍ୟ ସ୍କୁଲ କ୍ୟାମ୍ପସରେ ପଶି ତାଙ୍କୁ ଗାଳିଗୁଲଜ କରିଲା ବୋଲି ଅଭିଯୋଗ ହୋଇଛି । ସଦର ପୋଲିସର ଏକ ଟିମ୍ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଗିରଫ ବିଳମ୍ବ ହେବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ସମସ୍ତେ ଶିକ୍ଷକ ଶିକ୍ଷୟିତ୍ରୀ ଓ ସଂଘ ଜିଲ୍ଲା ଶିକ୍ଷା ଅଧିକାରୀ ,ଜିଲ୍ଲାପାଳ ଙ୍କୁ ଭେଟି ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଯଦି ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହୁଏ ତେବେ ସୋମବାର ଠାରୁ ଆନ୍ଦୋଳନ କୁ ଓହ୍ଲାଇଵ ବୋଲି ସଂଘ କହିଛି । ଅନ୍ୟପଟେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ବାରିକ ଘଟଣା କୁ ନିନ୍ଦା କରିବା ସହ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
