
ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର ବଡଗାମ ଅଞ୍ଚଳରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି । ଭାରତୀୟ ସେନା, ଜମ୍ମୁ-କଶ୍ମୀର ପୋଲିସ ଏବଂ ଶ୍ରୀନଗର CRPFର ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।
ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲା ଏବଂ ଜମ୍ମୁ ଅଞ୍ଚଳର ପୁଞ୍ଚ ଜିଲ୍ଲା ସୀମା ନିକଟବର୍ତ୍ତୀ ଅଞ୍ଚଳ ଅପରେସନ୍ ସମୟରେ ସୁରକ୍ଷାବାହିନୀ ସନ୍ଦେହଜନକ ଗତିବିଧି ଲକ୍ଷ୍ୟ କରିଥିଲେ । ଏହାପରେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲେ । କିନ୍ତୁ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଖବର ମିଳିଛି । ଏହାସହିତ ଏକ AK-47 ରାଇଫଲ୍ ସହ ଯୁଦ୍ଧ ସାମଗ୍ରୀ ଜବତ କରାଯାଇଛି । ତେବେ ଅଞ୍ଚଳରେ ଆଉ ୧ରୁ ୨ ଜଣ ଆତଙ୍କବାଦୀ ଲୁଚିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଖୋଜିବା ପାଇଁ ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ବଡଗାମର ପାହାଡିଆ ଓ ଘନ ଜଙ୍ଗଲ ଅଞ୍ଚଳରେ କିଛି ଦିନ ଧରି ଘେରାବନ୍ଦୀ ଓ ତଲାସୀ ଅଭିଯାନ ଚାଲିଛି । ଗୁରୁବାର ସନ୍ଧ୍ୟାରେ ୧୦ ପାରା କମାଣ୍ଡୋ, ଜମ୍ମୁ-କଶ୍ମୀର ପୋଲିସର SOG ଏବଂ CRPFର ଯୁଗ୍ମ ଟିମ୍ ଆତଙ୍କବାଦୀଙ୍କୁ ଘେରିବା ପରେ ପ୍ରଥମ ଗୁଳିବିନିମୟ ଆରମ୍ଭ ହୋଇଥିଲା । ସୁରକ୍ଷାବାହିନୀ ପକ୍ଷରୁ ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଆଣ୍ଡ ଡିଷ୍ଟ୍ରୟ ଅପରେସନ୍ ଜାରି ରହିଛି ।
ଅପରେସନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ଆଡଭାଇଜରି ଜାରି କରାଯାଇଛି । ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କୁ ଦୁଧପଥରୀ ଏବଂ ୟୁସମାର୍ଗ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ନଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
