କଟକ କଂଗ୍ରେସକୁ ବଡ଼ ବଳ: ଦଳକୁ ଫେରିଲେ ପୂର୍ବତନ କର୍ପୋରେଟର ରମଜାନ ଖାନ୍

କଟକ: କଟକ କଂଗ୍ରେସ ସଂଗଠନକୁ ମିଳିଛି ବଡ଼ ସଫଳତା। ବିଜେଡି ଛାଡ଼ି ପୁଣି ଥରେ କଂଗ୍ରେସ ଶିବିରକୁ ଫେରିଛନ୍ତି ପୂର୍ବତନ କର୍ପୋରେଟର ରମଜାନ ଖାନ୍। ରାଜ୍ୟ କଂଗ୍ରେସ ପ୍ରଭାରୀ ଲାଲଜି ଦେଶାଇ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଆୟୋଜିତ ଏକ ସ୍ଵତନ୍ତ୍ର ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି।
ରମଜାନଙ୍କ ଯୋଗଦାନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ରମଜାନ ପୂର୍ବରୁ ଦୀର୍ଘ ଦିନ ଧରି କଂଗ୍ରେସରେ ରହି କାର୍ଯ୍ୟ କରିସାରିଛନ୍ତି। ଏବେ ସେ ଦଳକୁ ଫେରିବା ଦ୍ବାରା କଟକ ସହରରେ କଂଗ୍ରେସ ସଂଗଠନ ଆହୁରି ଅଧିକ ସୁଦୃଢ଼ ଓ ମଜବୁତ୍ ହେବ।
କଂଗ୍ରେସରେ ସାମିଲ ହେବା ପରେ ରମଜାନ ଖାନ୍ କହିଛନ୍ତି, “ମୁଁ ମୋର ନିଜ ଘରକୁ ଫେରିଆସିଛି। ପୂର୍ବରୁ କଂଗ୍ରେସ ପାଇଁ ମୁଁ ୩୦ ବର୍ଷ କାମ କରିଥିଲି ଏବଂ ୨୦୧୪ରେ ଦଳ ଛାଡ଼ିଥିଲି। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କର୍ପୋରେଟର ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ମୋର ରହିଛି। ବର୍ତ୍ତମାନ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ, ତାହା ସୁଚାରୁରୂପେ ତୁଲାଇବି ଏବଂ ସଂଗଠନକୁ ଆଗକୁ ନେବାକୁ ଚେଷ୍ଟା କରିବି। ରମଜାନଙ୍କ ଘରବାହୁଡ଼ା ପରେ କଟକ ନଗର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.