ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ଆର୍ଥିକ ସ୍ଥିତି, ବ୍ୟାଙ୍କ ଜମା ଓ ସମ୍ପତ୍ତିକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ସମୟରେ ଦାଖଲ କରାଯାଇଥିବା ଶପଥପତ୍ର (ଆଫିଡେଭିଟ୍) ଅନୁଯାୟୀ, ଦେଶର ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ସ୍ଥିତି ବେଶ ସରଳ ଓ ନିରାଡ଼ମ୍ବର।
ନିର୍ବାଚନୀ ଶପଥପତ୍ର ତଥ୍ୟ ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୩.୦୨ କୋଟି ଟଙ୍କା। ତାଙ୍କର ମୁଖ୍ୟ ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ର ଗୁଜରାଟସ୍ଥିତ ଗାନ୍ଧୀନଗର ମୁଖ୍ୟ ଶାଖାରେ ରହିଛି ଏବଂ ନିର୍ବାଚନ ବେଳେ ବାରାଣସୀର ଏକ ଏସବିଆଇ ଶାଖାରେ ମଧ୍ୟ ତାଙ୍କର ଏକ ଖାତା ଖୋଲାଯାଇଥିଲା। ତାଙ୍କ ସମ୍ପତ୍ତିର ସିଂହଭାଗ ଅର୍ଥାତ୍ ପ୍ରାୟ ୨.୮୫ କୋଟି ଟଙ୍କା ଏସବିଆଇରେ ଫିକ୍ସଡ୍ ଡିପୋଜିଟ୍ (FD) ଭାବେ ଗଚ୍ଛିତ ଅଛି।
ନିବେଶ ଓ ଅଳଙ୍କାର: ସେଭିଂସ ଆକାଉଣ୍ଟ: ପ୍ରାୟ ୮୦,୩୦୪ ଟଙ୍କା
ନ୍ୟାସନାଲ ସେଭିଂସ ସାର୍ଟିଫିକେଟ୍ (NSC): ପ୍ରାୟ ୯.୧୨ ଲକ୍ଷ ଟଙ୍କା
ସୁନା ଅଳଙ୍କାର: ପ୍ରାୟ ୪୫ ଗ୍ରାମ ଓଜନର ୪ଟି ମୁଦି, ଯାହାର ଆନୁମାନିକ ମୂଲ୍ୟ ୨.୬୭ ଲକ୍ଷ ଟଙ୍କା
ନାହିଁ ଘର, ଗାଡ଼ି କିମ୍ବା ଋଣ: ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ପ୍ରଧାନମନ୍ତ୍ରୀଙ୍କ ନାମରେ କୌଣସି ଜମି, ବାସଗୃହ, ଫ୍ଲାଟ୍ କିମ୍ବା ବ୍ୟବସାୟିକ ସମ୍ପତ୍ତି ନାହିଁ। ପୂର୍ବରୁ ଗାନ୍ଧୀନଗରରେ ଥିବା ତାଙ୍କର ଏକ ଜମି ଅଂଶକୁ ସେ ଦାନ କରିସାରିଛନ୍ତି। ଏହାସହ ତାଙ୍କ ପାଖରେ କୌଣସି କାର୍ କିମ୍ବା ଦୁଇଚକିଆ ଗାଡ଼ି ମଧ୍ୟ ନାହିଁ। ସେୟାର ବଜାର, ମ୍ୟୁଚୁଆଲ ଫଣ୍ଡ, କର୍ପୋରେଟ୍ ବଣ୍ଡ କିମ୍ବା ଏଲଆଇସି ପଲିସି ଭଳି କ୍ଷେତ୍ରରେ ମଧ୍ୟ ସେ କୌଣସି ପୁଞ୍ଜି ନିବେଶ କରିନାହାନ୍ତି। ଏପରିକି ତାଙ୍କ ନାମରେ କୌଣସି ବ୍ୟାଙ୍କ ଋଣ ବା ବକେୟା ଦେଣନେଣ ମଧ୍ୟ ନାହିଁ।
