ଜାରିହେବ ଏସ୍‌ଓପି: ନିଜ ଜିଲ୍ଲାରେ ଅଡିଟ୍ କାର୍ଯ୍ୟ କରିପାରିବେ ନାହିଁ ଅଡିଟର୍

ଭୁବନେଶ୍ୱର/କଟକ: ଜିଲ୍ଲାର ବିଭିନ୍ନ ବିଭାଗର ଅଡିଟ୍‌ କାର୍ଯ୍ୟକୁ ଆହୁରି ସଶକ୍ତ ଓ ସ୍ବଚ୍ଛ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଅଡିଟ୍‌ ନେଇ ନୂତନ ମାନକ ସଂଚାଳନ ପ୍ରକ୍ରିୟା (ଏସ୍‌ଓପି) ପ୍ରସ୍ତୁତ କରାଯିବା ସହ ଅଡିଟରମାନେ ଏଣିକି ନିଜ ଜିଲ୍ଲାରେ ଅଡିଟ୍‌ କରିବା ଉପରେ କଟକଣା ରହିବ। ଆଜି (ଶୁକ୍ରବାର) ରାଜସ୍ବ ପରିଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ଅଧକ୍ଷତାରେ ଅଡିଟ୍ ସମ୍ବନ୍ଧୀୟ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି।

ଏହି ସମୀକ୍ଷା ବୈଠକରେ ରାଜସ୍ବ ପର୍ଷଦର ସଚିବ, ଅର୍ଥ ପରାମର୍ଶ ଦାତା, ଅନୁସଚିବ, ଅଡିଟ୍ ସୁପେରିଟେନଡେଣ୍ଟ ଓ ଅଡିଟର ତଥା ଅନ୍ୟାନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।ବୈଠକରୁ ମିଳିଥିବା ସୂଚନାନୁସାରେ, ରାଜସ୍ବ ପର୍ଷଦ ବିଭିନ୍ନ କାର୍ଯ୍ୟାଳୟ ଯଥା ରାଜସ୍ବ କମିଶନର/ଜିଲ୍ଲାପାଳ/ଉପଜିଲ୍ଲାପାଳ/ତହସିଲ/ଭୁଦାନ ଯଜ୍ଞ ସମିତି ସମୁଦାୟ ୪୨୦ଟି କାର୍ଯ୍ୟାଳୟର ଅଡିଟ୍ କରିଥାଏ । ମାସ ମାସ ଧରି ଅଡିଟର ମାନେ ନିର୍ଦ୍ଦିଷ୍ଟ କାର୍ୟାଳୟରେ ଅଡିଟ୍ କରିବା ଦ୍ଵାରା କାର୍ଯ୍ୟାଳୟ ଗୁଡିକର କ୍ଷେତ୍ର କର୍ମଚାରୀମାନେ ଦୈନଦିନ କାର୍ଯ୍ୟ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସବୁ କାର୍ଯ୍ୟାଳୟରେ ଅଡିଟ୍ ସମ୍ଭବପର ହୋଇପାରିନଥାଏ । ଏ ସବୁକୁ ସୁସଂଗଠିତ କରିବା ସହ ଅଡିଟ୍ କାର୍ଯ୍ୟରେ ସ୍ଵଚ୍ଛତା ଆଣିବା ପାଇଁ ରାଜସ୍ବ ପର୍ଷଦର ସଦସ୍ୟ ନିର୍ଦ୍ଦେଶ ଦେଇଛନ୍ତି l ଅଡିଟ୍ ପ୍ରକ୍ରିୟାର ପରିବର୍ତ୍ତନ କରାଯାଇ ତାହାର ଏକ ଏସ୍‌ଓପି(ମାନକ ସଂଚାଳନ ପ୍ରକ୍ରିୟା) ସ୍ଥିର କରାଯିବ। ଏକ ନିର୍ଦ୍ଦିଷ୍ଟ କାର୍ୟାଳୟର ଏକ ଆର୍ଥିକ ବର୍ଷ ଅଡିଟ୍ ପାଇଁ ସର୍ବାଧିକ ୨୦ଟି କାର୍ଯ୍ୟ ଦିବସ ଧାର୍ଯ୍ୟ କରାଯିବ।

ଅଡିଟ୍ ପ୍ରକ୍ରିୟାରେ ବସ୍ତୁନିଷ୍ଠତା, ସ୍ବଚ୍ଛତା ଓ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ କୌଣସି ଅଡିଟରଙ୍କୁ ତାଙ୍କ ନିଜ ଜିଲ୍ଲାରେ ଅଡିଟ୍ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ । ଯେଉଁ କାର୍ଯ୍ୟାଳୟଗୁଡ଼ିକ ଏପର୍ଯ୍ୟନ୍ତ ଅଡିଟ୍ ହୋଇନାହିଁ ସେଗୁଡ଼ିକୁ ଅଡିଟ୍ କରିବା ପାଇଁ ପ୍ରାଥମିକତା ଭିତ୍ତିରେ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଧାର୍ଯ୍ୟ କରାଯାଇଥିବା ସମୟସୀମା ମଧ୍ଯରେ ଅଡିଟ ସମାପ୍ତ କରିବା ପାଇଁ ସ୍ଥିର କରାଯାଇଛି ।

ad-week
Leave A Reply

Your email address will not be published.