ଓରାଙ୍ଗଉଟାନ ଉଦ୍ଧାର ଘଟଣା ; ବିହାରୀ ମାଫିଆ ଚିହ୍ନଟ

ଭୁବନେଶ୍ବର: ଭୋଗରାଇରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଦିନ ଗଡ଼ିବା ସହ ରହସ୍ୟ ବଢ଼ିବାରେ ଲାଗିଛି। କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର କାର୍ଯ୍ୟବଳ (ଏସଟିଏଫ୍‌)କୁ ଆଉ ଏକ ସୁରାକ୍‌ ମିଳିଛି। ଓରାଙ୍ଗଉଟାନ ଡିଲ୍‌ ଓ ଚାଲାଣ ସମ୍ପୃକ୍ତ ଥିବା ବିହାରର ଜଣେ ମାଫିଆଙ୍କୁ ଚିହ୍ନଟ କରାଯାଇଛି। ତାକୁ ଧରିବାକୁ ସ୍ଥାନୀୟ ପୁଲିସ ସହାୟତାରେ ବିହାରରେ ଚଢ଼ଉ କରୁଛି ଏସ୍‌ଟିଏଫ୍‌। ଏଥିସହ ଓଡ଼ିଶାରୁ କଲକାତା ଯାଏଁ ତଦନ୍ତ ସହ ଏକାଧିକ ହୋଟେଲ୍‌ ଓ ରାସ୍ତାର ସିସିଟିଭି ସଂଗୃହୀତ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରୁଛି। ସିସିଟିଭିରେ ଓରାଙ୍ଗଉଟାନ ଚାଲାଣର ଗତିବିଧି ରହିଥିବାରୁ ଏସଟିଏଫ୍‌ ସ୍ବତନ୍ତ୍ର ଦଳ ଅନୁଧ୍ୟାନ କରୁଛନ୍ତି। ସିସିଟିଭି ଆଧାରରେ ତଦନ୍ତ ବଢ଼ିବା ସହ ସନ୍ଦେହଘେରରେ ଥିବା ମାଫିଆଙ୍କୁ ଚିହ୍ନଟ ପ୍ରକ୍ରିୟା ଚାଲୁଛି। ଅନୁରୂପ ଭାବେ ଡିଜିପିଙ୍କ ନିର୍ଦେଶ ପରେ ଏସଟିଏଫ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଚୋରି ସାମଗ୍ରୀ ରଖିବା, ଯୋଜନାବଦ୍ଧ ଆପରାଧିକ ଷଡ଼ଯନ୍ତ୍ର ଓ ପ୍ରରୋଚନା ଭଳି ୩ଟି ଦଫାରେ ମାମଲା ରୁଜୁ ହୋଇଛି। ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଏସଟିଏଫ୍‌ ଡିଏସପି ପାହ୍ୟାର ଅଧିକାରୀଙ୍କୁ ତଦନ୍ତଭାର ଦିଆଯାଇଛି। ଓଡ଼ିଶା ଦେଇ ଅନ୍ୟ ରାଜ୍ୟ କିମ୍ବା ବିଦେଶକୁ ଓରାଙ୍ଗଉଟାନ ଚାଲାଣ ହେଉଥିଲା।

ଓଡ଼ିଶା ଟ୍ରାଞ୍ଜିଟ ପଏଣ୍ଟ ସାଜିଥିବା ବେଳେ ‘ରଣକୋଠା ସଂରକ୍ଷିତ ଜଙ୍ଗଲ’ରେ ଓରାଙ୍ଗଉଟାନ ଲୁଚାଇ ରଖିଥିଲେ। ଉଦୟପୁର ବନ୍ୟପ୍ରାଣୀ ସେକ୍ସନର ପାଟ୍ରୋଲିଂ ସମୟରେ ୫ ଓରାଙ୍ଗଉଟାନକୁ ବନ କର୍ମଚାରୀ ଠାବ କରିଥିଲେ। ପ୍ରଥମେ ଏସଟିଏଫ୍‌ ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କ ତଦନ୍ତ ଦାୟିତ୍ବ ଦେଇଥିଲା। ଅନ୍ତର୍ଜାତୀୟ ୱାଇଲ୍ଡଲାଇଫ୍ ରାକେଟ୍‌ ସୁରାକ ମିଳିବା ପରେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଉକ୍ତ ମାମଲାର ତଦନ୍ତ ଓ ମାଫିଆଙ୍କୁ ଧରିବାକୁ ୩ ରାଜ୍ୟ ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ସହାୟତା ନିଆଯାଉଥିବା ଜଣାପଡ଼ିଛି। ସେହିପରି ଓରାଙ୍ଗଉଟାନ ଶାବକଙ୍କୁ ରକ୍ତହୀନତା ହୋଇଥିବା ଜଣାପଡ଼ିବା ପରେ ସ୍ବାସ୍ଥ୍ୟର ଯତ୍ନ ନିଆଯାଉଛି। ସେମାନଙ୍କ ବିଭିନ୍ନ ପରୀକ୍ଷା ଚାଲୁଛି। ଲାବୋରଟୋରୀ ରିପୋର୍ଟ ଆସିଲା ପରେ ସେମାନଙ୍କ ଚିକିତ୍ସା ଓ ଯତ୍ନ ନେଇ ନିଷ୍ପତ୍ତି ନିଆଯିବ। ଶାବକ ମା’ କ୍ଷୀରରୁ ବଞ୍ଚିତ ହୋଇଥିବାରୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି ବୋଲି ବିଶେଷଜ୍ଞ କହିଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟ ଉପରେ ୫ ଜଣିଆ ବୈଷୟିକ କମିଟି ନଜର ରଖିଛନ୍ତି।

ad-week
Leave A Reply

Your email address will not be published.