ଲଗାଣ ବର୍ଷାରେ ଭୂସ୍ଖଳନ; କନ୍ଧମାଳ-ଗଞ୍ଜାମ ଯୋଗାଯୋଗ ବିଚ୍ଛିନ୍ନ

ଭୁବନେଶ୍ବର: ଲଗାଣ ବର୍ଷା ପରେ ଭୂସ୍ଖଳନ । ଚିତ୍ରକୋଣ୍ଡା-ଦାରାକୋଣ୍ଡା ରାସ୍ତାରେ ଭୂସ୍ଖଳନ ହେବାରୁ ମାଟି ଓ ପଥର ରାସ୍ତା ଉପରେ ଖସିପଡ଼ିଛି। ଫଳରେ ଯାତାୟତ ପ୍ରଭାବିତ ହୋଇଛି । ଏହାଦ୍ବାରା ବିଶାଖାପାଟଣା ଯାତାୟତ ବାଧାପ୍ରାପ୍ତ ହୋଇଛି ।ବର୍ଷା ଜାରି ରହିଲେ ସମସ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ରାସ୍ତା ଉପରୁ ମାଟି ଓ ପଥର ହଟାଇ ଶୀଘ୍ର ଯାତାୟାତ ସ୍ୱାଭାବିକ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏପଟେ ବନ୍ୟାଜଳର ପ୍ରଖର ସ୍ରୋତରେ ଧୋଇଗଲା ଶାରିଶୁଆ ଘାଟି ରାସ୍ତା । ବନ୍ୟା ପାଣିରେ ପ୍ରାୟ ଦେଢ଼ କିଲୋମିଟର ରାସ୍ତା ବିପଦସଙ୍କୁଳ ଅବସ୍ଥାକୁ ଚାଲିଆସିଛି । ରାସ୍ତାର ଅନେକ ସ୍ଥାନରେ ମାଟି ଧୋଇଯିବା ସହ ଯାତାୟାତ ପାଇଁ ବିପଦ ସୃଷ୍ଟି ହୋଇଛି ।

ଲଗାଣ ବର୍ଷାରେ ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାୟପୁର ୫୯ ନମ୍ବର ଜାତୀୟ ରାଜପଥର ଗାଜଲ ବାଡି ଘାଟିର ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିଛି । ବଡ଼ ବଡ଼ ପଥର ଖଣ୍ଡ ଆସି ରାସ୍ତାରେ ପଡି ରହିଛି । ଭୂତ ପଂଖାଳ ପୋଲ ଉପରେ ନଦୀ ଜଳ ମଧ୍ଯ ପ୍ରବାହିତ ହେଉଛି । ତେବେ ଭୂସ୍ଖଳନ ଆଶଙ୍କାରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶକ୍ରମେ ବାଇମାଲା ଠାରେ ରାସ୍ତା ସିଲ୍ କରାଯାଇଛି । ସେପଟେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ଯ ଗାଜଲବାଡି ଠାରେ ରାସ୍ତା ସିଲ୍ କରାଯାଇଛି । ବର୍ଷା ନ ଛାଡିବା ପର୍ଯ୍ୟନ୍ତ ରାସ୍ତା ସିଲ୍ ରହିବ ବୋଲି ପ୍ରସାଶନ ପକ୍ଷରୁ ସୂଚନା ମିଳିଛି । କଳିଙ୍ଗା ଓ ଗାଜଲବାଡ଼ି ଘାଟି ସିଲ୍ ପରେ କନ୍ଧମାଳ-ଗଞ୍ଜାମ ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି ।

ad-week
Leave A Reply

Your email address will not be published.