ମୟୂରଭଞ୍ଜରେ ବନ୍ୟା ବିତ୍ପାତ: ପାୱାର ବୋଟ୍ ଯୋଗେ ଚାଲିଛି ଉଦ୍ଧାର, ସ୍ଥିତି ନିରୀକ୍ଷଣ କରୁଛନ୍ତି ଅଧିକାରୀ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ସହ ଉପରମୁଣ୍ଡରେ ଅତ୍ୟଧିକ ବୃଷ୍ଟିପାତ ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବଢି ବନ୍ୟା ସୃଷ୍ଟି ହୋଇଛି । ତେବେ ବୁଢାବଳଙ୍ଗ ନଦୀ ସହ ଜରାଳୀ ଓ ସରାଳୀ ନାଳରେ ପାଣି ବଢି ଅନେକ ଲୋକଙ୍କ ଘରେ ବନ୍ୟା ଜଳ ପସି ଗମ୍ଭୀର ସ୍ଥିତି ସୃଷ୍ଟି କରିଛି । ଫଳରେ ୭,୮,୯ ଓ ୧୧ ନମ୍ବର ଓ୍ବାର୍ଡର ଅନେକ ଲୋକ ପ୍ରଭାବିତ ସୋଇଛନ୍ତି ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଓ୍ବାର୍ଡରେ ଅଧିକାରୀ ମାନେ ବୋଟ୍ ଯୋଗେ ଭିତରକୁ ଯାଇ ସ୍ଥିତି ନିରିକ୍ଷଣ କରୁଛନ୍ତି । ପୋଲିସ ପ୍ରଶାସନ ଲୋକଙ୍କୁ ଘରୁ ସ୍ଥାନାନ୍ତରିତ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପାୱାର ବୋଟ୍ ଯୋଗେ ଲୋକମାନଙ୍କୁ ଉଚ୍ଛସ୍ଥାନକୁ ଅଣାଯାଉଛି । ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀରେ ଫ୍ରି କିଚେନ୍ର ବ୍ୟବସ୍ଥା କରାଯାଇଛି । ଛୋଟ ପିଲାମାନଙ୍କୁ ମଧ୍ୟ ବିସ୍କୁଟ ଏବଂ ପିଇବା ପାଣି, ସବୁପ୍ରକାର ବ୍ୟବସ୍ଥା କରାଯାଇଛି । ଗତ ଦୁଇଟି ବନ୍ୟା ଅପେକ୍ଷା ଏଥର ପାଣିର ପ୍ରକୋପ ଅଧିକ ଥିବାରୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ଦେଖାଦେଇଛି ।

ଶିମିଳିପାଳରେ ଗତ ରାତିସାରା ବର୍ଷା ହେବା ଫଳରେ ଅଧିକ ବର୍ଷା ପାଣି ହଠାତ ମାଡି ଆସୁଛି ଏବଂ ମଝିରେ ମଝିରେ ମଧ୍ୟ ବର୍ଷା ହେଉଛି । ପ୍ରଶାସନ ସମଗ୍ର ଅଞ୍ଚଳ ଉପରେ ସଜାଗ ଦୃଷ୍ଟି ରଖିଛି । ଏ କ୍ଷେତ୍ରରେ ଆମର ଜିଲ୍ଲା ପ୍ରଶାସନ ପୁରା ସଜାଗ ଅଛି, କୌଣସି ଅସୁବିଧା ନାହିଁ । ଜିରୋ କାଜୁଆଲିଟି ଆମର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ରହିଛି, ଆମେ ସେ କ୍ଷେତ୍ରରେ ଆମର ସବୁ ପୋଲିସ ପ୍ରଶାସନଠାରୁ ଆରମ୍ଭ କରି ମ୍ୟୁନିସିପାଲ୍ଟିର ସମସ୍ତ କର୍ମଚାରୀ, ଜିଲ୍ଲା ପ୍ରଶାସନ ସମସ୍ତେ ସହଯୋଗ କରୁଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.