ବିଚାର ବିଭାଗୀୟ ହାଜତକୁ ଗଲେ ସୁନ୍ଦରଗଡ଼ ଏଡିଏମ୍

add-all

ଭୁବନେଶ୍ୱର : ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଜେଲ୍ କଲେ। ଦୁର୍ନୀତି ନିବାରଣ ଆଇନ ଆଧାରରେ ତାଙ୍କୁ ଭିଜିଲାନ୍ସ ଗିରଫ କରି ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ହେଲେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ୧୭ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି କରାଯିବ।

କୋର୍ଟରେ ହାଜର କରିବା ପୂର୍ବରୁ ବିଶ୍ୱଜିତ ମହାପାତ୍ରଙ୍କ ଘରୁ ବିପୁଳ ପରିମାଣର ସମ୍ପତ୍ତି ସହ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭିଜିଲାନ୍ସ ହାତରେ ଲାଗିଛି। ଏହାର ସୂଚନା ଦେଇ ଭିଜିଲାନ୍ସ ଏସପି ଏମ. ରାଧାକୃଷ୍ଣନ କହିଛନ୍ତି, ଗତ ୧୧ ଓ ୧୨ ତାରିଖରେ ବିଶ୍ୱଜିତ ମହାପାତ୍ରଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ଅନେକ ସମ୍ପତ୍ତି ସହ ଗୁରୁତ୍ୱପୂର୍ଣ୍ଣ କାଗଜ ଭିଜଲାନ୍ସ ହାତରେ ଲାଗିଥିବା ଭିଜିଲାନ୍ସ ଏସପି କହିଛନ୍ତି।

ବିଶ୍ୱଜିତଙ୍କ ଘରୁ ନଗଦ ୩ଲକ୍ଷ ୫୦ ହଜାର ଟଙ୍କା, ୪୫୦ଗ୍ରାମ ସୁନା, ୨.୫ କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ମିଳିଛି। ଏହାବ୍ୟତୀତ ତାଙ୍କ ବ୍ୟାଙ୍କ ଖାତାରେ ଅନେକ ବେନାମୀ ଟ୍ରାନଜାକ୍ସନ ରହିଛି। ଭୁବନେଶ୍ୱର ନହରକଣ୍ଟାରେ ଥିବା ଘର ମୂଲ୍ୟ ୯୧ ଲକ୍ଷ ଟଙ୍କା ହୋଇଥିବା ଭିଜିଲାନ୍ସ ଆକଳନ କରିଛି। ସେହିପରି ଆସିୟାନା ଫ୍ଲାଟ ସମେତ ଭୁବନେଶ୍ୱର ଏବଂ ଜଗତସିଂହପୁରରେ ୧୦ଟି ପ୍ଲଟ ଭିଜିଲାନ୍ସ ହାତରେ ଲାଗିଛି, ଯାହାର ମୂଲ୍ୟ ୩ କୋଟିରୁ ଅଧିକ ହେବ।

ବିଶ୍ୱଜିତ୍ ନିଜ ପତ୍ନୀଙ୍କ ନାଁରେ ଏକ ସିମେଣ୍ଟ ଗୋଦାମ କରିଥିବା ବେଳେ ସେହି ଗୋଦାମରୁ ମିଳିଥିବା ଅନେକ କାଗଜପତ୍ର ଭିଜିଲାନ୍ସ ଯାଞ୍ଚ କରୁଛି। ତେବେ ବିଶ୍ୱଜିତ ମହାପାତ୍ର ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରିଛି। ସେପଟେ ରାଜ୍ୟ ବାହାରେ ସମ୍ପତ୍ତି ନେଇ ଭିଜିଲାନ୍ସ ଅଧିକ ତନାଘନା କରୁଥିବା ଭିଜିଲାନ୍ସ ସେଲ ଏସପି କହିଛନ୍ତି।

ad-week
Leave A Reply

Your email address will not be published.