ଭାରତୀୟ ଫାର୍ମା କମ୍ପାନୀ ଉପରେ ରୁଷର ଡ୍ରୋନ୍ ଆଟାକ୍, ଜଣେ ମୃତ

ୟୁକ୍ରେନ୍: ୟୁକ୍ରେନର ସୁମି ସହରରେ ଥିବା ଏକ ଭାରତୀୟ ଔଷଧ କମ୍ପାନୀ ‘କୁସୁମ୍ ଗ୍ରୁପ୍’ ର ଏକ ବଡ଼ ଫାର୍ମାସ୍ୟୁଟିକାଲ୍ ପ୍ଲାଣ୍ଟ ଉପରେ ଶନିବାର ରୁଷର ଡ୍ରୋନ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଡ୍ରୋନ୍ ମାଡ଼ରେ କାରଖାନାର ମୁଖ୍ୟ ଭିତ୍ତିଭୂମି ଗୁରୁତର ଭାବେ ଧ୍ୱଂସ ହୋଇଥିବା ସହ ଆର୍ଥିକ କ୍ଷତି ୪୦୦ କୋଟି ଟଙ୍କାରୁ ଅଧିକ ହୋଇଥିବା କୁହାଯାଉଛି ।

ଆକ୍ରମଣ ପରେ ପ୍ଲାଣ୍ଟ ପରିସରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଘଟଣାସ୍ଥଳରୁ କଳା ଧୂଆଁର ବିଶାଳ ଆସ୍ତରଣ ଆକାଶକୁ ଉଠୁଥିବା ଦେଖାଯାଇଥିଲା । ସ୍ଥାନୀୟ ପ୍ରଶାସନ ଓ ଜରୁରୀକାଳୀନ ବିଭାଗର କର୍ମଚାରୀମାନେ ତୁରନ୍ତ ଉଦ୍ଧାର ଓ ଅଗ୍ନି ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଭାରତୀୟ ନାଗରିକ ରାଜୀବ ଗୁପ୍ତାଙ୍କ ଦ୍ୱାରା ପରିଚାଳିତ ‘କୁସୁମ୍ ଗ୍ରୁପ୍’୧୯୯୪ ମସିହାରେ ଭାରତୀୟ ଔଷଧ ୟୁକ୍ରେନକୁ ରପ୍ତାନି କରୁଥିବା ଏକ ବିତରକ ସଂସ୍ଥା ଭାବେ ଯାତ୍ରା ଆରମ୍ଭ କରିଥିଲା । ୨୦୦୨ରେ ସଂସ୍ଥା ନିଜସ୍ୱ ବ୍ରାଣ୍ଡ୍ ବଜାରକୁ ଆଣିଥିବା ବେଳେ ୨୦୦୭ରେ ଭାରତ ଏବଂ ୨୦୦୯ରେ ୟୁକ୍ରେନର ସୁମିଠାରେ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଥିଲା ।

ଏହି ଫାର୍ମା କମ୍ପାନୀ ୫୦ରୁ ଅଧିକ ଜେନେରିକ୍ ଔଷଧ ପ୍ରସ୍ତୁତ କରି ୟୁକ୍ରେନ୍, ଉଜବେକିସ୍ତାନ, କାଜାଖସ୍ତାନ ଓ ଫିଲିପାଇନ୍ସ ସମେତ ନଅରୁ ଅଧିକ ଦେଶରେ ବିକ୍ରି କରିଆସୁଛି । ଦୀର୍ଘଦିନ ଧରି ରୁଷ-ୟୁକ୍ରେନ୍ ଯୁଦ୍ଧ ଚାଲୁଥିବା ସତ୍ତ୍ୱେ ସୁମି ପ୍ଲାଣ୍ଟରେ ଉତ୍ପାଦନ ଜାରି ରହିଥିଲା । କିନ୍ତୁ ବର୍ତ୍ତମାନର ଡ୍ରୋନ୍ ଆକ୍ରମଣ ପରେ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ଓ ଭବିଷ୍ୟତ ପରିଚାଳନା ଉପରେ ଗଭୀର ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି ।

ad-week
Leave A Reply

Your email address will not be published.