ଭୁବନେଶ୍ୱର : ଓଡ଼ିଶାରେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ । ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ‘ଜୀବନ ଜିନ୍ଦାବାଦ-୨.୦’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । ରାଜ୍ୟରୁ ନିଶାକୁ ମୂଳପୋଛ କରିବା ପାଇଁ ଦୃଢ଼ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ନିଶା ବିରୋଧରେ ସରକାରଙ୍କ ‘ଜିରୋ ଟଲରେନ୍ସ’ ନୀତି ଜାରି ରହିବ ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏପ୍ରିଲ ପହିଲାରୁ ଲାଗୁ ହୋଇଥିବା ନୂଆ ଅବକାରୀ ନୀତି ଅନୁସାରେ ଆଗାମୀ ତିନି ବର୍ଷ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ । ଚୋରା ଓ ବିଷାକ୍ତ ମଦ କାରବାର ପାଇଁ ସ୍ଥାନୀୟ ପ୍ରଶାସନକୁ ଉତ୍ତରଦାୟୀ କରାଯାଇଛି । ତମାଖୁ ଓ ନିକୋଟିନ୍ ଯୁକ୍ତ ପାନମସଲା ଏବଂ ଗୁଟ୍ ଖା ଉତ୍ପାଦନ ଓ ବିକ୍ରି ଉପରେ ମଧ୍ୟ କଟକଣା କଡ଼ା କରାଯାଇଛି । ସ୍କୁଲ ଓ କଲେଜ କ୍ୟାମ୍ପସକୁ ‘ନିଶା ନିଷିଦ୍ଧ’ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । କେବଳ ମଦ ନୁହେଁ, ଗଞ୍ଜେଇ, ଅଫିମ, କୋକେନ୍, ହେରୋଇନ୍, ବ୍ରାଉନସୁଗାର ଓ ସିନ୍ଥେଟିକ୍ ଡ୍ରଗ୍ସ ବିରୋଧରେ ପୋଲିସ ଓ ଅବକାରୀ ବିଭାଗକୁ ଆହୁରି କଠୋର ଏବଂ ସକ୍ରିୟ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ନିଶା କେବଳ ଜଣେ ବ୍ୟକ୍ତିଙ୍କ ଜୀବନକୁ ନୁହେଁ, ତାଙ୍କ ପରିବାର ଓ ସମାଜକୁ ମଧ୍ୟ କ୍ଷତି ପହଞ୍ଚାଉଛି ବୋଲି ସେ କହିଛନ୍ତି ।
୨୦୨୯ ଶେଷ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ଲକ୍ଷ୍ୟ ଦିଗରେ ଓଡ଼ିଶା ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଶେଷକରି ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟ ସହ ଯୋଡ଼ିବା ‘ଜୀବନ ଜିନ୍ଦାବାଦ-୨.୦’ର ପ୍ରମୁଖ ଲକ୍ଷ୍ୟ ବୋଲି ସେ କହିଛନ୍ତି । ପିଲାମାନଙ୍କ ଆଚରଣ ଓ ବ୍ୟବହାରରେ ହଠାତ୍ ପରିବର୍ତ୍ତନ ଦେଖାଦେଲେ ଅଭିଭାବକମାନେ ଏହାକୁ ‘ରେଡ୍ ଫ୍ଲାଗ୍’ ଭାବେ ନେଇ ସତର୍କ ହେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ‘ନିଶାକୁ ନାଁ, ଜୀବନକୁ ହଁ’ ବାର୍ତ୍ତାକୁ ଗାଁରୁ ସହର ପର୍ଯ୍ୟନ୍ତ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । ଏକ ସୁସ୍ଥ ଓ ସଚେତନ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।
