ଲମତାପୁଟରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ୮୨ଟି ଅଭିଯୋଗ ପଞ୍ଜୀକୃତ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଚେକ୍ ପ୍ରଦାନ
କୋରାପୁଟ : ଲମତାପୁଟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୮୨ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୨୪ଟି ବ୍ୟକ୍ତିଗତ ଏବଂ ୫୮ଟି ଗ୍ରାମୀଣ ତଥା ଗୋଷ୍ଠୀଗତ ସମସ୍ୟା ଭିତ୍ତିକ ଅଭିଯୋଗ ରହିଥିଲା। ଘଟଣାସ୍ଥଳରେ ହିଁ ୧୯ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଛି।
କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ମନୋଜ ସତ୍ୟୱାନ ମହାଜନ ଶିବିରରେ ଯୋଗଦେଇ ଲୋକଙ୍କ ଆପତ୍ତି-ଅଭିଯୋଗ ଶୁଣିବା ସହ ଅବଶିଷ୍ଟ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆଇନ ଶୃଙ୍ଖଳା ସମ୍ପର୍କିତ ଅଭିଯୋଗଗୁଡ଼ିକୁ କୋରାପୁଟ ଏସ୍ପି ରୋହିତ ବର୍ମା ପ୍ରତ୍ୟକ୍ଷ ଭାବେ ଶୁଣାଣି କରିଥିଲେ।
ଏହି ଅବସରରେ ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ତଥା ସଶକ୍ତୀକରଣ ଲକ୍ଷ୍ୟରେ ମିଶନ ଶକ୍ତି ଅଧୀନସ୍ଥ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ର ସଦସ୍ୟାମାନଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ଆର୍ଥିକ ସହାୟତା ରାଶିର ଚେକ୍ ବଣ୍ଟନ କରାଯାଇଥିଲା। ସରକାରୀ ଯୋଜନାର ସୁଫଳ ଯେପରି ଅନ୍ତ୍ୟୋଦୟ ଭିତ୍ତିରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ, ସେଥିପ୍ରତି ସମସ୍ତ ବିଭାଗ ଯତ୍ନବାନ ହେବାକୁ ପ୍ରଶାସନ ତରଫରୁ ଗୁରୁତ୍ୱାରୋପ କରାଯାଇଛି।
ଶିବିରରେ କୋରାପୁଟ ଉପଜିଲ୍ଲାପାଳ ଫାବି ରଶିଦ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ସବରଙ୍କ ସମେତ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
