ଉମରକୋଟ : ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ତଥା ନବରଙ୍ଗପୁର ଜିଲ୍ଲାର ସାରସ୍ୱତ ପରମ୍ପରାକୁ ନେଇ ଏକ ଜିଲ୍ଲାସ୍ତରୀୟ ଏକଦିବସୀୟ ସାରସ୍ୱତ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବ ଉମରକୋଟସ୍ଥିତ ଏସ୍.ଏସ୍. ଇଣ୍ଟରନ୍ୟାସନାଲ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଦାସିଆ ସାଂସ୍କୃତିକ ପରିଷଦ, ଉମରକୋଟର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଅବିଭକ୍ତ କୋରାପୁଟ ଅଞ୍ଚଳର ବହୁ ସାହିତ୍ୟିକ, କବି ଓ କବୟିତ୍ରୀ ଯୋଗଦେଇଥିଲେ।
ଉଦ୍ଘାଟନୀ ଅଧିବେଶନରେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଚିବ ଶ୍ରୀ ସଞ୍ଜୟ କୁମାର ଛୁଆଳସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଶ୍ରୀ ବାବୁରାମ ପାତ୍ର ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ପରିବେଷଣ କରିଥିଲେ। ଶିକ୍ଷାବିତ ଉମେଶ ଚନ୍ଦ୍ର ଭୁକ୍ତା ବିଶିଷ୍ଟ ଅତିଥି, ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ବଲ୍ଲଭ ରାଉତ ବରେଣ୍ୟ ଅତିଥି, ପଦ୍ମନାଭ ସେଠୀ ସମ୍ମାନିତ ଅତିଥି ଏବଂ ଟୁଟୁବାବୁ ପଟ୍ଟନାୟକ ସଭାପତି ଭାବେ ମଞ୍ଚାସୀନ ଥିଲେ।
ଆଲୋଚନାଚକ୍ରରେ ଜଳନ୍ଧର ସ୍ୱାଇଁ, ଡ. ପ୍ରଦୀପ କୁମାର ମିଶ୍ର ଓ ପ୍ରଫୁଲ କୁମାର ରାଉତ ଆଲୋଚକ ଭାବେ ଯୋଗଦେଇ ‘ଓଡ଼ିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧିରେ ନବରଙ୍ଗପୁର ଜିଲ୍ଲାର ଅବଦାନ’ ସମ୍ପର୍କରେ ନିଜ ମତ ରଖିଥିଲେ। ପରିଷଦର ସଭ୍ୟା ସୁଶ୍ରୀ ରାଧାରାଣୀ ସରକାର ଅତିଥି ପରିଚୟ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ଛୁଆଳସିଂହ ତାଙ୍କ ବକ୍ତବ୍ୟରେ ନବରଙ୍ଗପୁର ଜିଲ୍ଲାରେ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଦାସିଆ ସାଂସ୍କୃତିକ ପରିଷଦର ମିଳିତ ପ୍ରୟାସକୁ ପ୍ରଶଂସା କରିଥିଲେ। ଉପାନ୍ତ ଅଞ୍ଚଳର ସାହିତ୍ୟିକ ଓ ସାରସ୍ୱତ ପ୍ରତିଭାଙ୍କ ପ୍ରତି ଏକାଡେମୀର ସ୍ୱତନ୍ତ୍ର ଦୃଷ୍ଟି ଓ ଗୁରୁତ୍ୱ ରହିବ ବୋଲି ସେ କହିଥିଲେ। ଏଥିସହ ଆସନ୍ତା ବର୍ଷଠାରୁ ବିଶିଷ୍ଟ ଛନ୍ଦକବି ଶ୍ରୀ ରଘୁନାଥ ପଟ୍ଟନାୟକଙ୍କ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପାଳନ କରାଯିବ ବୋଲି ସେ ଘୋଷଣା କରିଥିଲେ।
ବରେଣ୍ୟ ଅତିଥି ଶ୍ରୀ ବଲ୍ଲଭ ରାଉତ କହିଥିଲେ ଯେ ଭାଷା ଓ ଭାବନା ମଣିଷ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିଥାଏ ଏବଂ ଏହା ଏକ ସୁସଂଗଠିତ ସମାଜ ଓ ରାଷ୍ଟ୍ର ଗଠନରେ ସହାୟକ ହୋଇଥାଏ। ପରିଷଦର ଉପଦେଷ୍ଟା ଶ୍ରୀ ସମୀର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ୱିତୀୟ ଅଧିବେଶନରେ କବିତା ପାଠ ଉତ୍ସବ ଆୟୋଜିତ ହୋଇଥିଲା। କେଦାରେଶ୍ୱର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେଶନରେ ପରୀକ୍ଷିତ ସାହୁ, ରାମକୃଷ୍ଣ ନାୟକ ଓ ନମିତା ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ରାଧାରାଣୀ ସରକାର ଓ ସ୍ୱାଗତିକା ସାହୁ ସଂଯୋଜନା ଦାୟିତ୍ୱ ତୁଲାଇଥିଲେ।
କବିତା ପାଠ ଉତ୍ସବରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଶତାଧିକ କବି ଓ କବୟିତ୍ରୀ ଯୋଗଦେଇ ନିଜ ନିଜ କବିତା ପାଠ କରିଥିଲେ। ଅଂଶଗ୍ରହଣକାରୀ କବି ଓ କବୟିତ୍ରୀମାନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପାରିତୋଷିକ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥିଲା।
ଦିବସବ୍ୟାପୀ ଏହି ସାରସ୍ୱତ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିରଞ୍ଚି ସୁନାନୀ, ସମୀର କୁମାର ପ୍ରଧାନ, ସାଗର କୁମାର ପରିଡ଼ା, ରାଜକିଶୋର ନାୟକ, ସୁରେଶ ଚନ୍ଦ୍ର ପଣ୍ଡା, ବିମଳ କୁମାର ବାରୋଇ, ବିଷ୍ଣୁ ପ୍ରସାଦ ସାହୁ, ସଂଘମିତ୍ରା ଶତପଥୀ, ଅଶୋକ ଶତପଥୀ, ଅଶୋକ ପାତ୍ର, ରଞ୍ଜନ ଗୌଡ଼, ଗଣେଶ ପ୍ରସାଦ ରଣା, ଶାନ୍ତିଲତା ମହାନ୍ତି, ସବିତା ସେନାପତି, ସଞ୍ଜୟ କୁମାର ସାମଲ, ନୀଳକଣ୍ଠ ଚମ୍ପତି, ବିବେକାନନ୍ଦ ପଟ୍ଟନାୟକ, ନମିତା ବିଶ୍ୱାସ, ମୀନାକ୍ଷୀ ଚୌଧୁରୀ, ଶୁଭସ୍ମିତା ପଟ୍ଟନାୟକ, ଅଞ୍ଜନ କୁମାର ଦାଶ, ଅଭୟ କୁମାର ମିଶ୍ର, ଷ୍ଟାଲିନ ସାମନ୍ତରାୟ, ସତ୍ୟେନ୍ଦ୍ର ରାଉତ, ରାଜେଶ ଜୀ ଓ ଜଗବନ୍ଧୁ ବଡ଼ସେଠ ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ଶେଷରେ ଶ୍ରୀ ସତ୍ୟେନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
