ମାଲକାନଗିରିରେ ‘ସେବା ସଂକଳ୍ପ ଜ୍ୟୋତି ଯାତ୍ରା’: ଯୁବପିଢ଼ି ଓ ଜନମାନସରେ ନୂତନ ଉତ୍ସାହ, ବିକଶିତ ଭାରତ ଗଠନ ପାଇଁ ଶପଥ ଗ୍ରହଣ

ମାଲକାନଗିରି: ରାଜ୍ୟରେ ଜନସେବା, ଦେଶଭକ୍ତି ଏବଂ ସାମାଜିକ ଦାୟିତ୍ୱବୋଧର ବାର୍ତ୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ‘ବିକଶିତ ଭାରତ ସେବା ସଂକଳ୍ପ ଅଭିଯାନ’ ଅଧୀନରେ ‘ସେବା ସଂକଳ୍ପ ଜ୍ୟୋତି ଯାତ୍ରା’ ଏବେ ସାରା ଓଡ଼ିଶାରେ ଏକ ବଡ଼ ଜନଆନ୍ଦୋଳନର ରୂପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ବର୍ଷର ଜନସେବା ଓ ରାଷ୍ଟ୍ର ନିର୍ମାଣର ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ଏହି ମାସବ୍ୟାପୀ ଅଭିଯାନ ବିଶେଷ କରି ଯୁବପିଢ଼ି ଓ ସାଧାରଣ ଲୋକଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଛି।

ଏହି ପରିପ୍ରେକ୍ଷୀରେ ମାଲକାନଗିରିରେ ପହଞ୍ଚିଥିବା ଏହି ମଶାଲ ଯାତ୍ରାକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସ୍ଥାନୀୟ ମାଲ୍ୟବନ୍ତ ହଷ୍ଟେଲ ଛକରୁ ଏକ ବିଶାଳ ପଦଯାତ୍ରା ବାହାରି ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ପହଞ୍ଚିଥିଲା। ଲୋକଙ୍କ ମଧ୍ୟରେ ନିସ୍ୱାର୍ଥପର ସେବାଭାବ ଜାଗ୍ରତ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା, ଏବଂ ବିଶେଷକରି ମହିଳା, ଯୁବବର୍ଗ, କୃଷକ ତଥା ଅବହେଳିତ ଶ୍ରେଣୀର ଲୋକଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଏହି ଯାତ୍ରାରେ ମୁଖ୍ୟ ଗୁରୁତ୍ୱ ଦିଆଯାଇଛି।

ଆଜିର ଏହି ସମାବେଶରେ ବିଜେପି ଜିଲ୍ଲା ସଭାପତି ଅଶୋକ ପରିଡ଼ା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଏବଂ ରାଜ୍ୟ ଉପସଭାପତି ତଥା ଜିଲ୍ଲା ପ୍ରଭାରୀ ରମେଶ ସାହୁ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ନେତୃବୃନ୍ଦ ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ-୨୦୪୭’ର ସଂକଳ୍ପକୁ ସାକାର କରିବା ଦିଗରେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କୁ ସାଂସଦ ଶ୍ରୀ ମାଝୀ ବିକଶିତ ଭାରତ ନିର୍ମାଣ ନିମନ୍ତେ ସଂକଳ୍ପ ପାଠ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡମ୍ବରୁ ସୀସା, ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଗଙ୍ଗା ସୋଡ଼ିଙ୍କ ସମେତ ଦଳର ବହୁ ବରିଷ୍ଠ ନେତା, ପଦାଧିକାରୀ ଓ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.