ଓଡ଼ିଶା ବନ୍ଦକୁ ନେଇ ବିଜେଡିର ୟୁ ଟର୍ଣ୍ଣ, ଆନ୍ଦୋଳନରେ ଦଳ ସାମିଲ ହେବନି କହିଲେ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ

ଭୁବନେଶ୍ଵର: ବିଜେଡିର ୟୁ ଟର୍ଣ୍ଣ। ଅଧା ଘଣ୍ଟା ତଳେ ଦଳ କହିଲା ଆମେ ଆସନ୍ତାକାଲି ଇଣ୍ଡି ମେଣ୍ଟ ଦ୍ଵାରା ଆହୂତ ଓଡ଼ିଶା ବନ୍ଦକୁ ସମର୍ଥନ ଦେବୁ। ହେଲେ ଏବେ ଦଳ ସ୍ପଷ୍ଟ କରିଛି ଯେ, ଓଡ଼ିଶା ବନ୍ଦ ଆନ୍ଦୋଳନକୁ ଦଳ ସମର୍ଥନ ଦେବ ନାହିଁ। ଏହାର ସୂଚନା ଦେଇଛନ୍ତି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ଆସନ୍ତାକାଲି ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବହିଷ୍କାର, MMDR ସଂଶୋଧିତ ଆଇନ ପ୍ରତ୍ୟାହାର ପ୍ରମୁଖ ଦାବି ନେଇ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ନେତୃତ୍ଵାଧୀନ ଇଣ୍ଡି ମେଣ୍ଟ। ଏହି ବନ୍ଦ ଡାକରାକୁ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ସମର୍ଥନ ଦେବକି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଥିଲା। କିଛି ସମୟ ତଳେ ଗଣମାଧ୍ୟମକୁ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, ତାଙ୍କ ଦଳ ଏହି ବନ୍ଦ ଆନ୍ଦୋଳନକୁ ସମର୍ଥନ ଦେବ। କାରଣ ନୂଆଦିଲ୍ଲୀରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡି ମେଣ୍ଟ ଦ୍ଵାରା ଜାରି ଆନ୍ଦୋଳନକୁ ଦଳ ସମର୍ଥନ କରିଛି। ନୀତିଗତ ନିଷ୍ପତ୍ତି ଭାବେ ଇଣ୍ଡି ମେଣ୍ଟ ଦ୍ଵାରା ଓଡ଼ିଶା ବନ୍ଦକୁ ବିଜେଡି ସମର୍ଥନ ଦେବ।

ତେବେ ଏହି ବୟାନ ଦେବାର କିଛି ସମୟ ପରେ ୟୁଟର୍ଣ୍ଣ ମାରିଛି ବିଜେଡି। ଦଳ କହିଛି ଆମେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ ଦେବୁନି। ଆମକୁ କେହି ଡାକି ନାହାନ୍ତି କି କହି ନାହାନ୍ତି। ସମଦୂରତା ରଖି ଆସିଛୁ ଏବଂ ଆଗକୁ ଏହାକୁ ବଜାୟ ରଖିବୁ। କାହାକୁ ସମର୍ଥନ ଦେବୁନି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ। ତେବେ ପ୍ରଶ୍ନ ଉଠୁଛି କାହା ଚାପରେ ଦଳ ନିଜର ଏହି ନିଷ୍ପତ୍ତି ବଦଳାଇଲା।

ବିଜେଡିର ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ଏମଏମଡିଆର ବିଧେୟକଙ୍କୁ ବିଜେଡି ତୀବ୍ର ବିରୋଧ କରି ଆସିଛି। ଏଥିରେ ଓଡ଼ିଶାର ବହୁତ କ୍ଷତି ହେବ ଏବଂ ରାଜ୍ୟର ସ୍ଵାର୍ଥ ବଳି ପଡ଼ିବ ବୋଲି ଚିତ୍କାର କରି ଆସିଛି ବିଜେଡି। ପୁଣି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଆୟୋଗରେ କାର୍ଯ୍ୟଶୈଳୀକୁ ନେଇ ଏବଂ ତାଙ୍କ ଇସ୍ତଫା ଦାବିରେ ସମଗ୍ର ଦେଶରେ ଇଣ୍ଡି ମେଣ୍ଟ ଆନ୍ଦୋଳନକୁ ସମର୍ଥନ କରୁଛି ଦଳ। ଏପରିକି ଗତକାଲି ନୂଆଦିଲ୍ଲୀରେ ବିରୋଧୀଙ୍କ ପଦଯାତ୍ରାରେ ସାମିଲ୍ ଥିଲା ବିଜେଡି।

ଆଉ ଏହି ଦୁଇଟି ବଡ଼ ପ୍ରସଙ୍ଗ ସହ ଆଉ କିଛି ପ୍ରସଙ୍ଗକୁ ନେଇ ଓଡ଼ିଶା କଂଗ୍ରେସ ଅକ୍ଟୋବର ୮ରେ ଓଡ଼ିଶା ବନ୍ଦର ଡାକରା ଦେଇଛି। ଏଠି ପ୍ରଶ୍ନ ଉଠୁଛି ଯେଉଁ ପ୍ରସଙ୍ଗକୁ ନେଇ ବିଜେଡି ବିଜେପି ସରକାରକୁ ଟାର୍ଗେଟ୍ କରି ଆସୁଛି, ସେହି ସମାନ ପ୍ରସଙ୍ଗରେ ବିଜେଡି ଓଡ଼ିଶା ବନ୍ଦ ଡାକରାରୁ ପଛଘୁଞ୍ଚା କାହିଁକି ଦେଉଛି। ଗୋଟିଏ ପଟେ ଜୋରଦାର ବିରୋଧ, ପୁଣି ଗୋଟିଏ ପଟେ ସମଦୂରତା ନୀତି। ବିଜେଡିର ଏମିତି ଆଭିମୁଖ୍ୟ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.